ବନ୍ଦ ହେଲା ହୀରାକୁଦର ୬ଟି ଗେଟ୍, ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର : ବନ୍ଦ ହେଲା ହୀରାକୁଦର ୬ଟି ଗେଟ୍ । ଏବେ ଡ୍ୟାମର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯.୦୮ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୫୭ ହଜ଼ାର ୨୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୦୯ହଜାର ୭୪୦ କ୍ୟୁସେକ ଜଳ । ସେହିପରି ଗତକାଲି ହୀରାକୁଦର ୨ଟି ଗେଟ୍ ବନ୍ଦ ହେବା ଫଳରେ କଟକ ମୁଣ୍ଡୁଳୀଠାରେ ମହାନଦୀର ଜଳସ୍ତର ହ୍ରାସ ପାଇଥିଲା । ମୁଣ୍ଡଳିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଆଜି ସକାଳେ ୪ ଲକ୍ଷ ୮୦ ହଜାର ୨୭ କ୍ୟୁସେକ ଜଳ ପ୍ରବାହିତ ହେଉଛି।
ସୂଚନା ଅନୁସାରେ ଗତକାଲି ହୀରାକୁଦରେ ୨ଟି ଗେଟ ବନ୍ଦ ହୋଇଥିଲା । ରବିବାର ଦିନ ୨୦ଟି ଗେଟ ଖୋଲାଯାଇଥିଲା । ତେବେ ବର୍ତ୍ତମାନ ଆଉ ୪ଟି ଗେଟ ବନ୍ଦ କରାଯାଇ ସମୁଦାୟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ଜଳ ପ୍ରବାହ କମୁଥିବାରୁ ଏହି ଗେଟ ବନ୍ଦ କରାଯାଇଛି । ଅନ୍ୟପଟେ ହୀରାକୁଦର ଗେଟ ବନ୍ଦ କରାଯିବାରୁ କଟକ ମୁଣ୍ଡଳିର ଜଳସ୍ତର କମିବା ଦେଖିବାକୁ ମିଳିଛି ।