ସମସ୍ତ ଜିନିଷ ନିଆଁରେ ପୋଡ଼ି ପାଉଁଶ, ୬ଟି ପରିବାର ଏବେ ଖୋଲା ଆକାଶ ତଳେ

ବାସୁଦେବପୁର: ଜଳିଗଲା ଘର । ସମସ୍ତ ଜିନିଷ ପୋଡ଼ି ପାଉଁଶ । ଘରର ଚିହ୍ନ ବର୍ଣ୍ଣ କିଛି ବି ନାହିଁ । ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ସବୁ କିଛି ଜଳିଯାଇଛି । ଏ ସର୍ବଗିଳା ନିଆଁ କେଉଁଠିଥିଲା କେଜାଣି ହଠାତ୍ ଘରକୁ ଜାଳି ପୋଡି ପାଉଁଶ କରିଦେଇଛି । ପୀଡିତ ପରିବାର ଏବେ ଚିନ୍ତାରେ । ଖଟିଖିଆ ଲୋକ ଏମାନେ କାମକୁ ଗଲେ ଘର ଚୁଲି ଜଳେ । ଏବେ ମୁଣ୍ଡ ଉପରେ ଚାଳ ନାହିଁ କଣ କରିବେ, କେମିତି ସଳଖି ଠିଆ ହେବ କିଛି ବୁଝିପାରୁନାହାନ୍ତି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିନାୟକପୁର ପଂଚାୟତ ତୋଟାସାହି ଗ୍ରାମରେ ବିଳମ୍ୱିତ ରାତିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ୬ପରିବାରର ୬ଗୋଟି ଘର ପୋଡି ପାଉଁଶ । ଲକ୍ଷାଧିକ ଟଙ୍କାର ସମ୍ପତି ମାଟିରେ ମିଶିଛି । ହେଲେ କେମିତି ଏହି ଅଗ୍ନିକାଣ୍ଡ ଘଟିଲା ଏ ଯାଏ କାରଣ ଜଣାପଡିନାହିଁ । ଯାହା ଖବର ମିଳିଛି, ସେହି ଗ୍ରାମର ଭାଗିରଥି ବାରିକଙ୍କ ୬ଗୋଟି ପରିବାର ଗତକାଲି ରାତିରେ ଖାଇସାରି ଶୋଇଥିଲେ । ସେତେବେଳକୁ ରାତି ପ୍ରାୟ ୨ଟା ହେବ ।
ହଠାତ୍ ପ୍ରବଳ ଗରମ ହେବାରୁ ବାହାରକୁ ଆସି ଦେଖନ୍ତିତ ସେମାନଙ୍କ ନିଜ ଘର ହୁତୁ ହୁତୁ ହୋଇ ଜଳୁଛି । ସତେ ଯେମିତି ପାଦ ତଳୁ ମାଟି ଖସିଗଲା । ସଙ୍ଗେ ସଙ୍ଗେ ପରିବାରର ଅନ୍ୟ ସଦସ୍ୟଙ୍କୁ ବାହାରକୁ ପଳାଇ ଆସିବାକୁ କହିବା ସହ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ । ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ସମୟରେ ହଠାତ୍ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା । ଯାହାଫଳରେ ଆଗ୍ନିକାଣ୍ଡ ଆଣାୟତ ହୋଇପଡିଥିଲା । ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାବେଳକୁ, କେବଳ ପିନ୍ଧା ଲୁଗା ବ୍ୟତିତ ସେତେବେଳକୁ ସବୁକିଛି ଜଳି ପୋଡି ପାଉଁଶ ହୋଇସାରିଥିଲା ।
ତେବେ ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ହଳଦୀଢିଅ ବାଇପାସ୍ ନିକଟରେ ବାଣ ଟ୍ରାଜେଡିକୁ ଦିନ କେଇଟା ହେଇନି ପୁଣି ଏହିଭଳି ଦୁଃଖଦ ଘଟଣା ପୁଣି ଘଟିଛି ଭଦ୍ରକ ତୋଟାସାହି ଗ୍ରାମରେ । ନିଆଁଲାଗି ଘରର ଆସବାବପତ୍ର ସହିତ ଧାନ ଚାଉଳ,ଟଙ୍କାପଇସା ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ପୁରା ପରିବାର ବର୍ତ୍ତମାନ ଖୋଲା ଆକାଶ ତଳେ ରହିଛନ୍ତି । ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।
ଆହୁରି ପଢନ୍ତୁ: ଅସ୍ଥି ବିସର୍ଜନ କରିବାକୁ ଯାଉଥିଲେ ପରିବାର ଲୋକେ, ହଠାତ୍ ଜଳିଗଲା କାର୍