ହୀରାକୁଦ ଖୋଲିଲା ଆଉ ୬ ଗେଟ୍, ୧୦ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ସମ୍ବଲପୁର : ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଏବେ ଡ୍ୟାମର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପଟୁ ୯ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲା ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୨.୪୫ ଫୁଟ ରହିଛି l ମୁଣ୍ଡଳିରେ ୫ଲକ୍ଷ ୭୮ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ମହାନଦୀ ଫୁଲୁଥିବାରୁ ସମ୍ବଲପୁର, ସୋନପୁର, ନୟଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ , ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାକୁ ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ତେବେ ଡ୍ୟାମର କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ଓ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୫ ଫୁଟରେ ରଖା ଯାଇଥାଏ l କାରଣ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହେଉଥିବାରୁ ଡ୍ୟାମରେ ୨୫ ଫୁଟ ଉଚ୍ଚତା ଖାଲି ରଖାଯାଇଥାଏ l ଏହାଦ୍ବାରା ଅଗଷ୍ଟ ମାସରେ ଛତିଶଗଡ଼ ପଟୁ ବନ୍ୟା ପାଣି ଅଧିକ ପରିମାଣରେ ଆସିଲେ ସେହି ପାଣିକୁ ଡ୍ୟାମରେ ଭର୍ତ୍ତି କରି ମହଜୁଦ ରଖାଯାଇଥାଏ l

ଅନ୍ୟପଟେ ୪୮ ଘଣ୍ଟା ଯାଏ ବର୍ଷା । ଏହା ପରେ କମିବ ବର୍ଷାର ପରିମାଣ । ୧୩ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ। ଆଗାମୀ ୫ରୁ ୭ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଝାଡ଼ଖଣ୍ଡ ଉପରେ ରହିଥିବା ଘୂର୍ଣ୍ଣିବଳୟ ଉତ୍ତର ଓଡିଶା ଓ ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ କାଁ ଭାଁ ପ୍ରବଳ ବର୍ଷା ସହ ଅଧିକାଂଶ ସ୍ଥାନରେ ସ୍ପଳ୍ପ ବର୍ଷାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.