ଡକାୟତି ଉଦ୍ୟମ ପଣ୍ଡ, ଧରାପଡିଲେ ଡକାୟତ ଗ୍ୟାଙ୍ଗର ୬ ଜଣ ସଦସ୍ୟ

ବ୍ରହ୍ମପୁର(କେନ୍ୟୁଜ୍): ଡକାୟତି ଉଦ୍ୟମ ପଣ୍ଡ । ଧରାପଡିଲେ ଡକାୟତ ଗ୍ୟାଙ୍ଗର ୬ ଜଣ ସଦସ୍ୟ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ବୋମା, ଦୁଇଟି ଖଣ୍ଡା, ଆଇରନ ପାଇପ୍ ,ଗୋଟିଏ ମୋଟର ସାଇକେଲ ଓ ନଗଦ ଟଙ୍କା ଜବତ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ । କୌଣସି ସୂତ୍ରରୁ ଖବର ପାଇ ସହରର ଚାରି ନମ୍ବର ପ୍ଲାଟ ଫର୍ମ ସମ୍ମୁଖରେ ଏକ ହୋଟେଲରେ ଅତର୍କିତ ଚଢାଉ କରିବା ପରେ ଏହି ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଜେରା କରିବା ପରେ ଜଣା ପଡିଥିଲା ସେମାନେ ନିକଟରେ ଥିବା ହଳଦିଆପଦର ପେଟ୍ରୋଲ ପମ୍ପରେ ଡକାୟତି କରିବା ଲାଗି ଯୋଜନା କରୁଥିଲେ ।
ଗିରଫ ଡକାୟତମାନେ ହେଲେ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ସାହିର ଏସ. ତୋଫାନ, ଏସ.ସୁକୁରୁ,ଟି.ଭିମା, ବି. ଜଗନ୍ନାଥପୁରର ଟି.ଚେରେମା, ଟି.ତୋଫାନ ଟି. ଜଳନ୍ଧର ଗିରଫ ହୋଇଛନ୍ତି । ଏମାନଙ୍କ ନାଁରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଆଜି ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।