ନଦୀ ପାର୍ ହେବା ସମୟରେ ଆଈ ସହ ଭାସିଗଲେ ୨ ନାତି…
ବାଲିଗୁଡା: ମେଡିକାଲ୍ ବେଡ୍ ରେ ପଡିଛି ମୃତଶରୀର । ତଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ଲୋକେ । କଣ ଘଟିଗଲା ନିମିଷକ ଭିତରେ କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ନୀରହ ଜୀବନଟା ।
ସତରେ ଜୀବନର କଣ ବା ଭରଷା । ଏଇ ଅଛି ଏଇ ନାହିଁ । ମୃତ୍ୟୁ କେତେବେଳେ କେମିତି ଆସେ, ତାହା କେହି କହିପାରିବେନି । ଏଇ ଯେମିତି ଏ ଛୋଟିଆ ଶିଶୁ ସହିତ ଘଟିଛି । ଘରକୁ ଫେରୁଥିଲା କୁନି ପିଲାଟି, କିନ୍ତୁ ବାଟରେ ଜଗି ରହିଥିଲା ମରଣ । ଜୀବନ କଣ ଜାଣିବା ପୂର୍ବରୁ ଜୀବନ ହାରି ଚାଲିଗଲେ ଆରପାରିକୁ ।
ଧାନ କ୍ଷେତରେ କାମ ସାରି ନଦୀ ପାରି ହୋଇ ଘରକୁ ଫେରୁଥିବା ସମୟରେ ଅଘଟଣ । ନଦୀ ପାର୍ ହେବା ସମୟରେ ଆଈ ସହ ଭାସିଗଲେ ୨ ନାତି । ବାଲିଗୁଡା ଥାନା ବୁଡ଼ରୁକିଆ ପଂଚାୟତର ଦମଦେଇନାଳ ନଦୀ ପାରି ହୋଇ ଘରକୁ ଫେରୁଥିବା ସମୟରେ ଘଟିଛି ଏପରି ଅଭାବନୀୟ ଘଟଣା । ନଦୀ ଆରପଟେ ଥିବା ଧାନ କ୍ଷେତ କାମ ସାରି ନଦୀ ପାରି ହେଉଥିବା ସମୟରେ ଉପରମୁଣ୍ଡରୁ ହଠାତ୍ ବଢିପାଣି ମାଡି ଆସିବାରୁ ଆଇଙ୍କ ସମେତ ୨ନାତି ପାଣିରେ ଭାସି ଯାଇଥିଲେ।
ତେବେ ସ୍ଥାନୀୟ ଜଣେ ଜେସିବି ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଈ ରଶ୍ମିତା ମଲ୍ଲିକ୍ ଓ ଜଣେ ନାତି ଉଦ୍ଧାର ହୋଇଥିଲେ । କିନ୍ତୁ ଅନ୍ୟ ଜଣେ ନାତି ନିଖୋଜ ହୋଇଯାଇଥିଲେ । ନିଖୋଜ ୬ବର୍ଷର ନାତି ମସ୍ତକ ପ୍ରଧାନ ନିଖୋଜ ହେବା ଖବର ପାଇ ପାଇ ତୁରନ୍ତ ବାଲିଗୁଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନଦୀରେ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ତେବେ ଉପରମୁଣ୍ଡରୁ ପାଣି ମାଡିଆସି ଭାସି ଯାଉଥିବା ଅବସ୍ଥାରେ ଆଈ ଓ ଜଣେ ନାତି ଜୀବନ ପାଇଥିବା ବେଳେ ଅନ୍ୟ ଏକ ନାତିଙ୍କ ପ୍ରାଣ ଚାଲିଯିବା ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।