ଆଜିଠୁ ଆରମ୍ଭ ହେଲା କ୍ୟାମ୍ପ କୋର୍ଟ ,୩୪ଟି ଜେଲ୍ରେ ୬୩୫ ବିଚାରାଧୀନ କଏଦୀଙ୍କୁ ମିଳିଲା ଜାମିନ

ଭୁବନେଶ୍ବର : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଜେଲରେ ଆଜିଠୁ କ୍ୟାମ୍ପ କୋର୍ଟ ଆରମ୍ଭ । ଜେଲରଙ୍କ ମାଧ୍ୟମରେ ବିଚାରାଧୀନ କଏଦୀଙ୍କର ଜାମିନ ବିଚାର କରାଯାଇଛି । ଆଜି ଚାଲିଥିଲା ମୋଟ୍ ୩୪ଟି କ୍ୟାମ୍ପ କୋର୍ଟ । ଏଥିରେ ୫୦୦ କେସ୍ର ବିଚାର କରାଯାଇଛି । କ୍ୟାମ୍ପ କୋର୍ଟରେ ୬୩୫ ଜଣ ବିଚାରାଧୀନ କଏଦୀଙ୍କୁ ଜାମିନ୍ ମିଳିଛି । ବ୍ୟକ୍ତିଗତ ମୁଚାଲିକାରେ ଅଧିକାଂଶ କଏଦୀଙ୍କୁ ଜାମିନ୍ ମଂଜୁର ହୋଇଛି ।
ସେଭିତରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୫୭ କଏଦୀଙ୍କୁ ଓ ଚୌଦ୍ୱାର ଜେଲ୍ରୁ ୫୮ ବିଚାରାଧୀନ କଏଦୀଙ୍କୁ ଜାମିନ୍ ମିଳିଛି । ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆଜି କ୍ୟାମ୍ପ କୋର୍ଟରେ ୪ ଜଣ ବିଚାରାଧୀନ କଏଦୀଙ୍କୁ ଜାମିନ ମଂଜୁର କରାଯାଇଛି । ତେବେ ଓକିଲଙ୍କ ବିରୋଧ ଯୋଗୁଁ କୋରାପୁଟ ଓ ଭଦ୍ରକରେ ୭ଟି କ୍ୟାମ୍ପ୍ କୋର୍ଟରେ ଶୁଣାଣି ହୋଇପାରିନାହିଁ । ଜେଲରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢୁଛି । ଆବଶ୍ୟକତାଠାରୁ ଅଧିକ କଏଦୀ ରହୁଛନ୍ତି । ଓକିଲ ଆନ୍ଦୋଳନ ଯୋଗୁ ସମସ୍ୟା ବଢୁଥିବାରୁ ଜେଲ ଗୁଡ଼ିକରେ ଅସ୍ଥାୟୀ କ୍ୟାମ୍ପ କୋର୍ଟ କରି ଜାମିନ ଆବେଦନର ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।