ଆଖି ବୁଜିଲା ୬୫ ବର୍ଷୀୟ ଦନ୍ତାହାତୀ ‘ମହେନ୍ଦ୍ର

ଶିମିଳିପାଳ : ଆଖି ବୁଜିଲା କୁଙ୍କି ହାତୀ । ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲା । ‘ମହେନ୍ଦ୍ର’ ଏକ ପୋଷା ହାତୀ ଥିବା ବେଳେ ୨୦୦୧ ମସିହାରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ।
ସେବେଠୁ ଶିମିଳିପାଳରେ ତାକୁ ପ୍ରଶିକ୍ଷଣ ଦିଅଯିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଶିମିଳିପାଳର ଆଖପାଖ ଅଞ୍ଚଳକୁ ହାତୀ ପଲ ପଶି ଆସିଲେ ସେମାନଙ୍କୁ ଘଉଡ଼ାଇବା ପାଇଁ ମହେନ୍ଦ୍ରକୁ ବ୍ୟବହାର କରାଯାଉଥିଲା । ଏଥିସହ ବାଘ ଟ୍ରାକିଂ ତଥା ଘଞ୍ଚ ଜଙ୍ଗଲକୁ ବନ କର୍ମଚାରୀ ଯିବା ପାଇଁ ମଧ୍ୟ ମହେନ୍ଦ୍ରର ସହାୟତା ନିଆଯାଉଥିଲା ।
ଶିମିଳିପାଳରେ ସମସ୍ତ ବନ କର୍ମଚାରୀଙ୍କ ମନ ଜିଣିଥିଲା ମହେନ୍ଦ୍ର। କିଛି ବର୍ଷ ପୂର୍ବେ ବାଘୁଣୀ ସୁନ୍ଦରୀ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା । ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ପାଇଁ ମହେନ୍ଦ୍ରକୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ଏହାପରେ ସେଠାରୁ ତାକୁ ପୁଣି ଥରେ ଶିମିଳିପାଳକୁ ଫେରାଇ ଅଣାଯାଇଥିଲା । ସେବେଠୁ ସେ ଶିମିଳିପାଳରେ ଥିଲା ।