ମଦୁଆଙ୍କୁ ଧରିବା ପାଇଁ କଟକରେ ସ୍ୱତନ୍ତ୍ର ଅଭିଯାନ, ସର୍ବସାଧାରଣ ସ୍ଥାନରେ ମଦ ପିଇ ଧରାପଡିଲେ ୬୫ ଜଣ

କଟକ(କେନ୍ଯୁଜ୍): ଜୋର ଧରିଲା ମଦୁଆ ଧରପଗଡ଼। ପାର୍ବଣ ସମୟରେ ମଦୁଆଙ୍କୁ ଧରିବା ପାଇଁ କଟକରେ ସ୍ୱତନ୍ତ୍ର ଅଭିଯାନ । ସର୍ବସାଧାରଣ ସ୍ଥାନରେ ମଦ ପିଇ ଧରାପଡିଲେ ୬୫ ଜଣ। ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଡ୍ରାଇଭ୍‌ ଚାଲିଥିବା କଟକ ଡିସିପି ସୂଚନା ଦେଇଛନ୍ତି। ସର୍ବ ସାଧାରଣରେ ମଦ ପିଉଥିଲେ ପୋଲିସଙ୍କୁ ସୂଚନା ଦିଅନ୍ତୁ। ଏଥିପାଇଁ ୧୧୨ କିମ୍ବା ୮୮୯୫୮୧୨୩୦୪ରେ କଲ୍‌ କରିବା ପାଇଁ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

ସେହିପରି, ମଦୁଆଙ୍କୁ ସାବାଡ କରିବା ପାଇଁ ବ୍ରହ୍ମପୁର ପୋଲିସ ବି ନୂଆ ପଦକ୍ଷେପ ଗ୍ରହଣ କରିଛି । ସହରରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲୁଛି ମଦୁଆ ଧରା ଗାଡି। ସର୍ବସାଧାରଣ ସ୍ଥାନରେ ମଦ ପିଉଥିଲେ ସେମାନଙ୍କୁ ଧରିବା ସହ ପଚରାଉଚରା କରାଯିବ। ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ବ୍ରହ୍ମପୁର ପୋଲିସର ଅଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରବାସୀ।

ସୂଚନା ଥାଉକି, ପାର୍ବଣରେ ଭିଡ଼ ରୋକିବା ପାଇଁ ଟୁଇନ ସିଟିରେ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଆଜିଠୁ କଟକ, ଭୁବନେଶ୍ୱରରେ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ହେବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ । ୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ପ୍ରସ୍ତୁତ କରାଯାଇଛି।

ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ୪୧ଜଣ ଗିରଫ ହେଲେଣି। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି। ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟାବସ୍ଥା କରାଯାଇଛି। ତେଣୁ ନିୟମକୁ ପାଳନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.