ଡ.ଜ୍ଞାନେଶ୍ବର ମୂଳେ ପାଇବେ ସମ୍ମାନଜନକ ନୀଳିମାରାଣୀ ସାହିତ୍ୟ ପୁରସ୍କାର-୨୦୨୫

ଆଜି ଦିଲ୍ଲୀରେ ଘୋଷଣା ହୋଇଛି ମର୍ଯ୍ୟାଦାଜନକ ନୀଳିମା ରାଣୀ ସାହିତ୍ୟ ପୁରସ୍କାର । କିଟ୍, କିସ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାସେବୀ ଓ ଶିକ୍ଷାବିତ୍ ଡ. ଅଚ୍ୟୁତ ସାମନ୍ତ ଏବଂ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତଙ୍କ ମାଆଙ୍କ ସମ୍ମାନରେ ଏହି ଜାତୀୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯାଉଛି । ସୁସାହିତ୍ୟିକ ଡ. ଜ୍ଞାନେଶ୍ବର ମୂଳେ ପାଇବେ ଏଥରର ସମ୍ମାନଜନକ ନୀଳିମାରାଣୀ ସାହିତ୍ୟ ପୁରସ୍କାର । ଭାରତର ‘ପାସପୋର୍ଟ ମ୍ୟାନ୍’ ଭାବେ ପରିଚିତ ଡ. ମୂଳେ ହେଉଛନ୍ତି ଜଣେ ପୂର୍ବତନ ଆଇଏଫ୍ଏସ୍ ଅଫିସର ତଥା ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ମରାଠୀ ଲେଖକ ଓ ଅନୁବାଦକ ।

ଆଜି ଦିଲ୍ଲୀର ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କାଦମ୍ବିନୀ ପତ୍ରିକା ସମ୍ପାଦିକା ଡ. ଇତି ସାମନ୍ତ ୨୦୨୫ ବର୍ଷ ପାଇଁ ନୀଳିମାରାଣୀ ସାହିତ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ଡ. ଜ୍ଞାନେଶ୍ବର ମୂଳେଙ୍କୁ ମାନପତ୍ର, ଫଳକ ଏବଂ ଉପଢୌକନ ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ପୁରସ୍କାର ରାଶି ୫ ଲକ୍ଷରୁ ଏଥର ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଯାହା ରାଜ୍ୟ ସାହିତ୍ୟ ପୁରସ୍କାର କ୍ଷେତ୍ରରେ ସର୍ବାଧିକ ପୁରସ୍କାର ରାଶି ।

sahitya

ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସାମଗ୍ରିକ ପ୍ରଚାର ପ୍ରସାର ତଥା ବିକାଶର ଲକ୍ଷ୍ୟ ନେଇ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଛି ‘କାଦମ୍ବିନୀ ସାହିତ୍ୟ ଏକାଡ଼େମୀ’ । ଏହି ଏକାଡେମୀ ତରଫରୁ ଗତ ବର୍ଷ ସୁଲେଖିକା ଶ୍ରୀମତୀ ମୃଦୁଳା ଗର୍ଗଙ୍କୁ ନୀଳିମା ରାଣୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବରୁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସ, ଇଂରାଜୀ ଭାଷାର ପ୍ରସିଦ୍ଧ ଲେଖିକା ଶ୍ରୀମତୀ ଅନୁରାଧା ରାୟ ଏବଂ ଇଂରାଜୀ ଭାଷାର ବିଶିଷ୍ଟ ଲେଖିକା ତଥା ଜୟପୁର ଲିଟେରାରୀ ଫେଷ୍ଟିଭାଲର ସହପ୍ରତିଷ୍ଠତା ଓ ସହନିର୍ଦ୍ଦେଶିକା ଶ୍ରୀମତୀ ନମିତା ଗୋଖଲେ ଏହି ପୁରସ୍କାର ଲାଭ କରି ସାରଛିନ୍ତି । ଏ ନେଇ ସୂଚନା ଦେଇଛନ୍ତି ଡ. ଇତି ସାମନ୍ତ ।