ଓଡ଼ିଶାକୁ ଭୂସ୍ଖଳନ ଭୟ ! ଗଜପତି, ମାଲକାନଗିରି, ରାୟଗଡ଼ା ସମେତ ୭ଟି ଜିଲ୍ଲା ସମ୍ବେଦନଶୀଳ

ସାରା ଦେଶର ଛାତିକୁ ଦୋହଲାଇ ଦେଇଛି କେରଳର ଓ୍ଵାୟନାଡ଼ ଭୂସ୍ଖଳନ । ୨୫୦ରୁ ଅଧିକ ଜୀବନ ଦୀପ ମାଟି ତଳେ ଲିଭି ଯାଇଥିବା ବେଳେ ୫୦୦ ଲୋକଙ୍କ ପତ୍ତା ମିଳୁନି । ୩୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ଅନେକ ମାଟି ତଳେ ଦବି ରହିଛନ୍ତି । ତେବେ ଭାରତରେ କେବଳ କେରଳ ନୁହେଁ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ବିନାଶର ତାଣ୍ଡବ ରଚୁଛି ଭୂସ୍ଖଳନ । ଏହି ଦୁଇଟି ରାଜ୍ୟରେ ପାହାଡ଼ରୁ ମାଟି ଧସି ବହୁ ଧନଜୀବନ ହାନି ହେଉଛି ।

ଏହି ବିପଦରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନାହିଁ । ୨୦୧୮ ଅକ୍ଟୋବରର ବାତ୍ୟା ‘ତିତଲି’ ଆଜି ବି ଲୋକଙ୍କ ମନରୁ ଲିଭିନି । ସେଦିନ ଘଟିଥିବା ଭୂସ୍ଖଳନ ଗଜପତି ଜିଲ୍ଲାରେ ନାହିଁ ନ ଥିବା କ୍ଷତି ଘଟାଇଥିଲା । ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ଏହା ପରବର୍ତ୍ତୀ ଭୂସ୍ଖଳନରେ ପାଖାପାଖି ୨୦ଟି ଗାଁ ମାଟିରେ ଲୀନ ହୋଇଯାଇଥିଲା । ୬୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଏବଂ ୯୦୦୦ରୁ ଅଧିକ ପରିବାର ବାସହୀନ ହୋଇପଡ଼ିଥିଲେ ।

ବର୍ତ୍ତମାନ କେରଳ ଭୂସ୍ଖଳନର ଭୟାବହତାକୁ ନଜରରେ ରଖି ଓଡ଼ିଶାରେ ମଧ୍ୟ ସତର୍କତାମୂଳକ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଅଧିକ ରହିଥାଏ । ସେହି ଦୃଷ୍ଟିରୁ ଓଡ଼ିଶାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ମଧ୍ୟ ଭୂସ୍ଖଳନପ୍ରବଣ ଜିଲ୍ଲା ମଧ୍ୟରୁ ଅନ୍ୟତମ ।

ନିକଟରେ କୋଏମ୍ବଟୁରସ୍ଥିତ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‌ର ଭୂସ୍ଖଳନ ସମ୍ବନ୍ଧୀୟ ବିଶ୍ୱ ଉତ୍କୃଷ୍ଟତା କେନ୍ଦ୍ରର ୭ ଜଣିଆ ଟିମ୍‌ ଗଜପତି ଜିଲ୍ଲା ଗସ୍ତ କରିଥିଲା । ଏହି ବିଶେଷଜ୍ଞ ଟିମ୍‌ ଭୂସ୍ଖଳନର କାରଣ ଏବଂ ବିପର୍ଯ୍ୟୟ ମୁକାବିଲା ଉପରେ ବ୍ୟାପକ ରିସର୍ଚ୍ଚ କରିଥିଲା । ଏଠାରେ କିପରି ଭିତ୍ତିଭୂମି ସୁଦୃଢ଼ କରାଯାଇ ପାରିବ ଓ ସମ୍ଭାବ୍ୟ ବିପଦର ମୁକାବିଲା କରାଯିବ, ସେ ନେଇ ଗବେଷଣାକୁ ଗୁରୁତ୍ୱ ଦେବାକୁ ବିଶେଷଜ୍ଞ ଟିମ୍‌ ପରାମର୍ଶ ଦେଇଥିଲା । ଜିଲ୍ଲାରେ ୟୁଜର୍‌ ଫ୍ରେଣ୍ଡଲି ‘ଭୂସ୍ଖଳନ ୟର୍ଲି ଓ୍ଵାର୍ଣ୍ଣିଂ ସିଷ୍ଟମ୍‌ (ଇଡବ୍ଲ୍ୟୁଏସ୍‌)’ ସ୍ଥାପନ ଉପରେ ମଧ୍ୟ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଥିଲେ । ନିଜର ଏହି ଗସ୍ତ ବେଳେ ଟିମ୍‌ ଭୂସ୍ଖଳନ ପାଇଁ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ସର୍ବେକ୍ଷଣ କରିଥିଲା ।

You might also like