ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ଜଣଙ୍କ ଜଳସମାଧୀ

ଭୁବନେଶ୍ୱର : ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ଜଣଙ୍କ ସଲିଳସମାଧି । ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ । ଶିମିଳିସାହି ପଞ୍ଚାୟତ ଗୋଡ଼ିବିଡ଼ା ଗାଁରେ କାନ୍ଦବୋବାଳି । ବାହାଘର ଭୋଜି ପାଇଁ ଆସିଥିଲେ ସମସ୍ତେ । ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଗଲେ ୩ ସମ୍ପର୍କୀୟ ଭାଇ । ନାବାଳକଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ନେଇଥିଲେ ଗ୍ରାମବାସୀ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପାଟହରା ଗୁମ୍ଫା ନିକଟ ନଈରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲାର ୪ ଜଣ ଯୁବକ ଗୁମ୍ଫା ବୁଲିବାକୁ ଆସିଥିଲେ । ଗୁମ୍ଫାରେ ଫଟୋ ଉଠାଉଥିବା ବେଳେ ନଈରେ ୨ ଜଣ ଖସିପଡ଼ି ନିଖୋଜ ଥିଲେ । ସେମାନଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।  କୋରାପୁଟ ଜିଲ୍ଲା କୋଲାବ ଜଳ ଭଣ୍ଡାରରେ ବୁଡ଼ି ଜଣେ ମୃତ । ପାଡୁଆ ଥାନା ପାନ୍ତଲୁଙ୍ଗ ପଞ୍ଚାୟତ ଚମ୍ପାପୁଟ ଗାଁର ବଳରାମ ଡ଼ୁରୁ ଦେଶୀ ଡଙ୍ଗାରେ ପାତାଳୀ ନଦୀକୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ତାଙ୍କର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

କଟକ କାଠଯୋଡ଼ି ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ । ଗାଧୋଇବାକୁ ଯାଇ ସୂର୍ଯ୍ୟକାନ୍ତ ମାଝୀ ବୁଡ଼ି ଯାଇଥିଲେ । ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ନାବାଳକକୁ ଉଦ୍ଧାର କର ଏସସିବିରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।