କିଛି ବି ପ୍ରାର୍ଥନା କାମ ଦେଲାନି, ସବୁ ବନ୍ଧନ କାଟି ଆକାଶର କୁନି ତାରା ହୋଇଗଲା ୭ବର୍ଷର ଝିଅ ସମୀକ୍ଷା
ମୋହନା(କେନ୍ୟୁଜ୍): ଜୀବନ କଣ ଜାଣିବା ଆଗରୁ ଆକାଶର ତାରା ହୋଇଗଲା ସମୀକ୍ଷା। ବାପା ମା’ର କୋଳ ଶୂନ୍ୟ କରି ସବୁଦିନ ପାଇଁ ଆରପାରିକୁ ଚାଲିଗଲା ଲିଭର ରୋଗରେ ପୀଡିତ ଥିବା ୭ ବର୍ଷର କୁନିଝିଅ ସମୀକ୍ଷା। କୋହରେ ଭାଙ୍ଗି ପଡିଛି ପରିବାର ସମେତ ପୁରା ଗାଁ ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମନମୋହନ ପଟ୍ଟନାୟକଙ୍କ ଝଅ ସମୀକ୍ଷା ପଟ୍ଟନାୟକ। ବୟସ ମାତ୍ର ୭ ବର୍ଷ। ଏତେ କମ ବୟସରେ ସମୀକ୍ଷାର ଲିଭରଟି ନଷ୍ଟ ହୋଇଯାଇଥିଲା। ଡାକ୍ତରଖାନା ବେଡରେ ପଡି ରହି ରୋଗ ସହ ଲଢେଇ ଜାରି ରଖିଥିଲା। ପ୍ରଥମେ ସମୀକ୍ଷାକୁ ଜଣ୍ଡିସ ରୋଗ ହେଲା। ବହୁ ଡାକ୍ତରଖାନା ବୁଲାଇଲେ ବି ତାର ଦେହ ଭଲ ହେଲା ନାହିଁ। କିଛି ଦିନ ତଳେ ବିଶାଖାପାଟଣାର ଓମିନି ହସ୍ପିଟାଲରେ ତାର ଚିକିତ୍ସା ଆରମ୍ଭ ହେଲା । କିନ୍ତୁ ସେତେବେଳକୁ ସମୀକ୍ଷାର ଲିଭରଟି ନଷ୍ଟ ହୋଇ ଯାଇଥିବା ଡାକ୍ତର ରିପୋର୍ଟ ଦେଇଥିଲେ। ଏପଟେ ସମୀକ୍ଷାର ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ବିଗୁଡୁ ଥିବାରୁ ତାକୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠି କିନ୍ତୁ ଡାକ୍ତର ସମାନ କଥା କହିଥିଲେ। ଲିଭର ନଷ୍ଟ ହୋଇଛି ତୁରନ୍ତ ଟ୍ରାନ୍ସପ୍ଲାଣ୍ଟ ହେବା ଦରକାର।
ଏତେ ଛୋଟ ବୟସର ଶିଶୁଟିର ହଠାତ ଏମିତି କେମିତି ହେଲା ଭାବି ଭାଙ୍ଗି ପଡିଲେ ସମୀକ୍ଷାର ବାପା। ଡାକ୍ତରଙ୍କ ରିପୋର୍ଟ ଯେତେ କଷ୍ଟ ନଦେଇଥିଲା ତାଠାରୁ ଅଧିକ କଷ୍ଟ ଦେଇଥିଲା ଏହି କୁନି ଝିଅର ଚିକିତ୍ସା ବାବଦକୁ ଖର୍ଚ୍ଚ ହେବାକୁ ଥିବା ୩୦ ଲକ୍ଷ ଟଙ୍କାର ଯୋଗାଡ଼। ହଠାତ ଏତେ ଗୁଡାଏ ଟଙ୍କା କେଉଁଠୁ ଆସିବ ? ଏତେ କମ ସମୟ ମଧ୍ୟରେ ଏତେ ଗୁଡାଏ ଟଙ୍କା କେଉଁଠୁ ଯୋଗାଡ଼ କରିବେ ଏଥିପାଇଁ ଭାଙ୍ଗି ପଡିଥିଲେ ସମୀକ୍ଷାର ବାପା। କେବଳ ସେ ନୁହଁନ୍ତି ପରିବାର ପ୍ରତ୍ୟେକଟି ସଦସ୍ୟ ଏଥିପାଇଁ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । ସମୀକ୍ଷାର ରୋଗ ଯେପରି ପରିବାରର ସବୁ ଖୁସି ଛଡାଇନେଇଥିଲା । ଏ ସମ୍ପର୍କରେ ଆମେ କେନ୍ୟୁଜ୍ ମାଧ୍ୟମରେ ଖବର ପ୍ରସାରଣ କରିଥିଲୁ । ବହୁ ବଦାନ୍ୟ ବ୍ୟକ୍ତି ସମୀକ୍ଷାକୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଥିଲେ ଓ ସମୀକ୍ଷାର ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ସେସବୁ କିଛି କାମ କଲାନି । ଶେଷରେ ସମୀକ୍ଷା ସବୁ ବନ୍ଧନକୁ କାଟି କୁନି ତାରାଟିଏ ହୋଇ ଆକାଶରେ ଚକମକ୍ କରିବାକୁ ଚାଲିଯାଇଛି। ସମୀକ୍ଷା ଆତ୍ମାର ସଦଗତି ହେଉ ଏତିକି ଇଶ୍ବରଙ୍କ ପାଖରେ କେନ୍ୟୁଜର ପ୍ରାର୍ଥନା