ଖଟରେ ଶୋଇଥିବାବେଳେ ଲାଗିଗଲା ନିଆଁ: ଜୀବନ୍ତ ଜଳିଗଲେ ୭୦ବର୍ଷର ବୃଦ୍ଧ

କେନ୍ଦୁଝର(କେନ୍ଯୁଜ୍): ଖଟରେ ଶୋଇଥିବାବେଳେ ନିଆଁ ଲାଗି ଜଳିଗଲେ ୭୦ବର୍ଷର ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଗାଁ ଗଉଡ ସାହିରେ । ମୃତକ ଜଣକ ହେଲେ ଡିଲେଶ୍ବର ମହାକୁଡ । ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଡିଲେଶ୍ବର ମହାକୁଡ ଖଟ ଉପରେ ମଶାରି ଟାଙ୍ଗି ଶୋଇଥିଲେ ।
କରେଣ୍ଟ ନଥିବାରୁ ଅନ୍ଧାରରୁ ରକ୍ଷା ପାଇବା ପାଇଁ ଖଟ ନିକଟରେ ଏକ ଡିବି ଜାଳିଥିଲେ । ତେବେ କୌଣସି କାରଣରୁ ମଶାରିରେ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ଅବସ୍ଥାରେ ବୃଦ୍ଧ ଜଣଙ୍କ ଖଟ ସହ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତାଙ୍କ ସ୍ତ୍ରୀ ଓ ଝିଅ ଘରେ ନ ଥିବାବେଳେ ଏଭଳି ଅଘଟଣ ଘଟିଛି ।
ଘରୁ ଜୋରରେ ଧୂଆଁ ବାହାରୁଥିବା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେତବେଳକୁ ଡିଲେଶ୍ବର ସମ୍ପୂର୍ଣ୍ଣ ଜଳିଯାଇଥିଲେ । ବୟସାଧିକ କାରଣରୁ ଶରୀରରେ ନିଆଁ ଲାଗିଥିଲେ ମଧ୍ୟ ପାଟି କରିପାରିନଥିବା ସନ୍ଦେହ କରାଯାଉଛି ।