ମୁଁ ବଞ୍ଚିଛି ବାବୁ ମୁଁ ମରିନି ମୋ ଭତ୍ତା ଟଙ୍କା ମୋତେ ଦିଅ, ଏମିତି ଗୁହାରୀ କରୁଛନ୍ତି ୭୨ ବର୍ଷୀୟା ବୃଦ୍ଧା
କୋରାପୁଟ : ମୁଇଁ ବଞ୍ଚିଛି । ମୋକେ ମରିଦେଇଛି ସରକାର । ଇଟା କେନ୍ତା ହେଇସି ବାବୁ ? ଅର୍ଥାତ୍ ମୁଁ ବଞ୍ଚିଛି ହେଲେ ସରକାର ମୋତେ କାଗଜପତ୍ରରେ ମାରି ଦେଇଛନ୍ତି କେମିତି ? ଏଇ ପ୍ରଶ୍ନ ଗତ ୧୦ ମାସ ଧରି ପଚାରି ଚାଲିଛନ୍ତି ଏଇ ୭୨ ବର୍ଷୀୟା ବୃଦ୍ଧା । ଆଖିକୁ ଭଲ ଭାବରେ ଦେଖାଯାଉନାହିଁ । କାନକୁ ଶୁଭା ଯାଉ ନାହିଁ । ବୟସର ଭାରରେ ଚମ ଧୁଡୁ ଧୁଡୁ ଦେହ । ଭତ୍ତା ଗଣ୍ଡାକ ତାର ବଞ୍ଚିବାର ସମ୍ବଳ । ୪ ହାତ ଚଉଡା ଓ ୬ହାତ ଲମ୍ବା ଗୋଟାଏ କୋଠରୀ, ଏଇ ନୂଆଣିଆ ନଡା ଛପର ଘରେ ରହୁଛନ୍ତି ବୟସର ସାୟାହ୍ନରେ ଥିବା ବୟସ୍କା ବୃଦ୍ଧା ବୈଦେହି ଜାନୀ । ଆଗରୁ ସରକାରଙ୍କ ଠାରୁ ମାସିକ ଭତ୍ତାପାଉଥିଲେ । ହେଲେ ଗତ ୧୦ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଆଉ ଭତ୍ତା ପାଉ ନାହାନ୍ତି । କାହିଁ କି ଭତ୍ତା ମିଳୁ ନାହିଁ ତାର ଉତ୍ତର ବି ପାଇ ପାରୁ ନାହାନ୍ତି । ତାଙ୍କ ମିଳୁଥିବା ଭତ୍ତା ଏମିତି ଅଚାନକ କିପରି କଟିଗଲା ସେକଥା କୁଆଡ଼େସରକାରୀ ଅଧିକାରୀ ବି ଜାଣି ପାରୁ ନାହାନ୍ତି । ମରିଗଲା ଲୋକର ସିନା ଭତ୍ତା କଟିବ ହେଲେ ବଂଚି ଥାଉଣୁ କଟିଲା କିପରି ବୋଲି ବୃଦ୍ଧା ଜଣକ ପ୍ରଶ୍ନ କରୁଛନ୍ତି । ନିଜକୁ ଜୀବିତ ପ୍ରମାଣିତ କରିବାକୁ ବ୍ଳକ କାର୍ଯ୍ୟାଳୟ ଠାରୁ ବ୍ୟାଙ୍କ ଦାଣ୍ଡରେ ବାରମ୍ବାର ପ୍ରମାଣ ପତ୍ର ଦେଖାଇ ଭତ୍ତା ଦେବାକୁ ଗୁହାରୀ କରି ନୟାନ୍ତ ହୋଇ ଯାଇଛନ୍ତି। ତଥାପି ବୈଦେହୀ ଜାନୀର ଗୁହାରୀ କାହା କନରେ ଯେମିତି ପଡୁନାହିଁ । ବଞ୍ଚି ଥାଉ ଥାଉ କେମିତି ମୃତ କରିଦେଲା ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ବୈଦେହୀ।
କୋରାପୁଟ ବ୍ଳକ ଉମରି ପଂଚାୟତ, ମାଛରା ଗାଁର ଏ ବୟସ୍କା ବୃଦ୍ଧା ହେଉଛନ୍ତି ବୈଦେହି ଜାନୀ । ସ୍ୱାମୀ ଆର ପାରିରେ । ପିଲାଛୁଆ କେହି ନାହାନ୍ତି । ସରକାରଙ୍କ ଭତ୍ତା ଟଙ୍କା ଏକମାତ୍ର ସାହା ଭରସା। ଏବେ ସେତକ ମଧ୍ୟ ଦଶ ମାସ ହେଲା ମିଳୁ ନାହିଁ । ବହୁ କଷ୍ଟରେ ଜୀବନ ବଞ୍ଚାଇ ରଖିଛନ୍ତି । ଆଗେ ଭତ୍ତା ବାବଦରେ ୫ଶହ ଟଙ୍କା ମିଳୁଥିଲା । ତାପରେ ବ୍ୟାଙ୍କରେ ମିଳିବ କହିଲେ। ହେଲେ ଆଉ ମିଳୁନାହିଁ । ବ୍ୟାଙ୍କରେ ନାହିଁ କିମ୍ବା ନଗଦ ଆକାରରେ ହାତକୁ ଆସୁନି ଭତ୍ତା । ପଚାରିଲେ କହୁଛନ୍ତି, ମୁଁ ପୁଣି ମରିଗଲି ବାବୁ ଏଣୁ ଭତ୍ତା କାଟି ଦେଇଛନ୍ତି । ହେଲେ ମୁଁ ତ ବଞ୍ଚିଛି ବାବୁ । ଏଇଟା ମୋର ଘର । ମୋର ଆଧାର କାର୍ଡ ଆଉ ଭତ୍ତା କାର୍ଡ ଆଛି, ଦେଖ ବାବୁ । ଯେତେ କହିଲେ ବି ଶୁଣୁ ନାହାନ୍ତି ବୋଲି ବୈଦେହୀ ଅଭିଯୋଗ କରିଛନ୍ତି । ଆମକୁ ଦେଖି ଦେଶିଆ ଭାଷାରେ କହିଲେ ‘ତୁ ଟିକେ ମୋ ଭତ୍ତା କରିଦେ ବାବୁ’ । ଅତି ଦୁଃଖଭରା କଣ୍ଠରେ କହୁଥିଲେ ଏହି ଅସହାୟ ବୃଦ୍ଧା ଜଣକ ।
କଣ ପାଇଁ ବୈଦେହୀଙ୍କ ଭତ୍ତା ବନ୍ଦ ହୋଇଛିତାହା ସ୍ପଷ୍ଟ ହେଉନାହିଁ । ହେଲେ ମାନବିକତା ଦୃଷ୍ଟିରୁ କେହି ବୁଝି ପାରୁ ନାହାନ୍ତି ଯେ ଏ ଅସହାୟ ବୃଦ୍ଧା ଜଣକ ଚଳୁଥିବେ କେମିତି ? ଟଙ୍କା ନପାଇ ବୟସର ଶେଷ ଦିନରେ ଦୁର୍ଦ୍ଦଶା ଭୋଗୁଛନ୍ତି ସେ । ଏଭଳି କହିଛନ୍ତି ମାଛରା ଗାଁର ଅଙ୍ଗନୱାଡି କର୍ମୀ। ତୁରନ୍ତ ସଂଶୋଧନ କରି ସମସ୍ତ ଟଙ୍କା ଯୋଗାଇବାକୁ ଦାବି କରିଛନ୍ତି। ଉତ୍ତର ଖୋଜିବାପାଇଁ ଆମେ ପହଂଚିଥିଲୁ କୋରାପୁଟ ବିଡିଓଙ୍କ ପାଖରେ । ପଚାରିବାରୁ ତଦନ୍ତ ଚାଲିଛି କିନ୍ତୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବିଡିଓ । ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ।
ବୈଦେହି ଜାନୀଙ୍କ ଭତ୍ତା ଟଙ୍କା ପ୍ରଦାନ ପାଇଁ ଗ୍ରାମବାସୀ ପଂଚାୟତ ଓ ବ୍ଲକ ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ। ତଥାପି ୭୨ ବର୍ଷୀୟା ବୃଦ୍ଧା ବୈଦେହି ଜାନୀଙ୍କୁ ଅଦ୍ୟାବଧି ଭତ୍ତା ଟଙ୍କା ମିଳିବା ବ୍ୟବସ୍ଥା ହୋଇପାରିନାହିଁ । ବ୍ଲକ ପ୍ରଶାସନକୁ କିଭଳି ଭୁଲ ରିପୋର୍ଟ ଗଲା , କିଏ ଓ କେଉଁ ଉଦେଶ୍ୟରେ ଦେଇଥିଲେ ତାର ତଦନ୍ତ ଜରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରଶାସନର କେଉଁଠି ନା କେଉଁଠି ତୃଟି ରହିଥିବା ସ୍ପଷ୍ଟ ହେଉଛି। ଭତ୍ତା ବନ୍ଦ ହେବା କାରଣର ଉତ୍ତର ଖୋଜିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲୁ । ତୁରନ୍ତ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ। ଅସହାୟ ବୃଦ୍ଧା ବୈଦେହୀ ଖୁବ ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ପାଇବେ କହିଛନ୍ତି ଜିଲ୍ଲାପାଳ।