ବିଶ୍ୱ ଦକ୍ଷତା କେନ୍ଦ୍ରର ୭୩ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର :  ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି ।  ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଟାଟା ଷ୍ଟିଲ ଟେକନିକାଲ ସର୍ଭିସେସ୍ ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୩-୨୪ ବ୍ୟାଚର ୭୩ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି ।  ଏହି ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ।  ସେଥିମଧ୍ୟରୁ ମେକାଟ୍ରୋନିକ୍ସର ୨୭, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନର ୯ ଏବଂ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସର ୩୭ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି ।

ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ ।  ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି ।  ଏହି ସୁଯୋଗ ଲାଗି ସେମାନେ ରାଜ୍ୟ ସରକାର ଓ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ମୋଟ ୭ଟି ପାଠ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଂ ସ୍କୁଲ ମଡେଲରେ ତାଲିମ ଦିଆଯାଇ ସେମାନଙ୍କୁ ଶିଳ୍ପ ଉପଯୋଗୀ କରାଯାଉଛି ।

ଏହି କେନ୍ଦ୍ରରେ ତାଲିମ ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ଦେବା ଲାଗି ପ୍ରତିବର୍ଷ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ କରାଯାଉଛି।ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏବେ ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି ।  ଓଡ଼ିଶାର ଆଗ୍ରହୀ ପ୍ରାର୍ଥୀମାନେ କେନ୍ଦ୍ରର ୱେବସାଇଟରେ www.worldskillcenter.org ପ୍ରଥମେ ପଞ୍ଜୀକରଣ କରିବା ପରେ ଆବେଦନ କରିପାରିବେ । ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଆବେଦନ ଲାଗି ଶେଷ ତାରିଖ ଅଗଷ୍ଟ ୩୦ ରହିଛି ।  ସେହିପରି ‘ସ୍କୁଲ ଅଫ୍ ସର୍ଭିସେସ୍’ ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୦ ।  ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.