ପାରାଦୀପ : ସ୍ବଦେଶ ଫେରିବେ ଭାରତୀୟ ଜଳ ସୀମାରୁ କୋଷ୍ଟ ଗାର୍ଡ ଦ୍ବାରା ଅଟକ ରହିଥିବା ୭୮ ଜଣ ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ । ଭାରତ ସରକାର ସେମାନଙ୍କୁ କ୍ଷମା କରିଥିବା ବେଳେ ଭାରତୀୟ ଦୁତାବାସ ଓ ବାଙ୍ଗଲାଦେଶ ଦୂତାବାସ ମଧ୍ୟରେ ଆଲୋଚନା ସରିଛି । ବୋଟ୍ ରେ ଥିବା ସମସ୍ତ ବାଙ୍ଗଲାଦେଶୀ ନାଗରିକ ମତ୍ସ୍ୟଜୀବୀ ବୋଲି ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ନିକଟରେ ସମସ୍ତ କାଗଜପତ୍ର ଠିକ ରହିଥିବା ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି। ମାଛ ଧରିବା ସମୟରେ ସେମାନେ ଭୁଲ୍ ବଶତଃ ଭାରତୀୟ ଜଳ ସୀମାରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ବୋଟ୍ ରେ ୧୭୦ ଟନ୍ (ପାଖାପାଖି ୧୭୦୦ କ୍ଵିଣ୍ଟାଲ) ମାଛ ରହିଛି । ଜବତ ଦୁଇଟି ବୋଟ୍ ଲୈଲା-୨ ରେ ୧୦୦ ଟନ୍ ଓ ମେଘନା-୫ ରେ ୭୦ ଟନ୍ ର ମାଛ ଅଛି। ଗତକାଲି ସେମାନଙ୍କୁ କୋଷ୍ଟଗାର୍ଡ ପାରାଦ୍ଵୀପ ଆଣିବା ପରେ ନେହେରୁବଙ୍ଗଳା ସାମୁଦ୍ରିକ ଥାନା, ପାରାଦ୍ଵୀପ ଆଦର୍ଶ ଥାନା, ପାରାଦ୍ଵୀପ ଡିଏସପି ସନ୍ତୋଷ ଜେନା ଓ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ୍ କରିଥିଲେ ।
ସକାଳେ ସେମାନଙ୍କୁ ପାରାଦ୍ଵୀପ ଥାନାକୁ ଆଣି ସେମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦିଆଯାଇଛି। ଭାରତୀୟ ଦୁତାବାସ ଓ କୋଷ୍ଟଗାର୍ଡ ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର ତିଆରି ସରିଲେ ସମସ୍ତ ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ ମାନଙ୍କୁ କୋଷ୍ଟଗାର୍ଡ ଜାହାଜ ସେମାନଙ୍କ ବୋଟ୍ ସହିତ ବାଙ୍ଗଲାଦେଶ ଜଳ ସୀମାରେ ବାଙ୍ଗଲାଦେଶ ଦୂତାବାସ କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।