ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନକୁ ପୂରିଲା ୮ ବର୍ଷ, ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ଓଡ଼ିଶା

ଭୁବନେଶ୍ବର(କେନ୍ଯୁଜ୍): ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନ। ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା। ୨୦୧୩ ଅକ୍ଟୋବର ମାସର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଏହି ଭୟଙ୍କର ବାତ୍ୟା। ଲ୍ୟାଣ୍ଡଫଲ ସ୍ଥାନ ଥିଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର। ବର୍ଷାପବନରେ ଛାରଖାର ହୋଇଥିଲା ବ୍ରହ୍ମପୁର ସହର। କ୍ୟାଟାକୋରୀ-5 ସାଇକ୍ଲୋନ ଥିଲା ଫାଇଲିନ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଥିଲା ୨୨୦ କିଲୋମିଟର ପ୍ରତି ଘଣ୍ଟା। ୧୯୯୯ରୁ ୨୦୧୩ ୧୪ ବର୍ଷ ମଧ୍ୟରେ ଓଡ଼ିଶା ଦେଖି ଥିଲା ବଡ଼ବାତ୍ୟା। ୧୯୯୯ରେ ୧୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଫାଇଲିନ୍‌ରେ ମୃତ୍ୟୁ ସଂଖ୍ୟା ୩୦-୪୦ ଭିତରେ ଥିଲା। ଯାହା ଦେଶ କାହିଁକି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଓଡ଼ିଶାରେ ଏତେ ବଡ଼ ପରିବର୍ତ୍ତନ କିପରି ହେଲା। ଏତେ ବଡ଼ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କଲା ଓଡ଼ିଶା।

ଅକ୍ଟୋବର ୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ବାତ୍ୟା। ସ୍ଥଳଭାଗ ଛୁଇଁଲା ୧୨ ତାରିଖରେ। ମଝିରେ ତିନ ଦିନରେ ଦେଖିବାକୁ ମିଳିଥିଲା ବଡ଼ଧରଣର ସ୍ଥାନାନ୍ତରଣ ପ୍ରକ୍ରିୟା। ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସହ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତଳି ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ୧୯୯୯ ମହାବାତ୍ୟାରୁ ଅନେକ କିଛି ଶିଖିଥିଲା ଓଡ଼ିଶା। ଗଠନ ହୋଇଥିଲା ଓସ୍‌ଡମା। ସ୍ଥାନନ୍ତରଣ ପ୍ରକ୍ରିୟାର ପ୍ରତ୍ୟକ୍ଷ ତତ୍ୱବଧାନ କରୁଥିଲା। ମୁଖ୍ୟମନ୍ତ୍ରୀଙ୍କ ମିଶନ ଥିଲା ଜିରୋ କାଜୁଆଲିଟି। ଏହାକୁ ମିଶନ ମୋଡ୍‌ରେ ନେଇ କାମ କରୁଥିଲା ପ୍ରଶାସନ।

ବାତ୍ୟା ଯୋଗୁଁ ସେ ସମୟରେ ପ୍ରାୟ ସାଢ଼େ ୪ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଆଗୁଆ ସତର୍କ ରହିବା ଯୋଗୁଁ ହଜାର ହଜାର ଜଣଙ୍କ ଜୀବନ ବଞ୍ଚିଗଲା। ବିଶ୍ୱର ବିଭିନ୍ନ ଅନୁଷ୍ଠାନ ଓଡ଼ିଶାର ଉଦ୍ୟମ କରିଥିଲେ ପ୍ରଶଂସା। ଏପରିକି ବିଶ୍ୱବ୍ୟାଙ୍କ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସିତ କରିଥିଲା। ଓଡ଼ିଶା ଇତିହାସରେ ଫାଇଲିନ ବାତ୍ୟା, ରାଜ୍ୟର ବିପର୍ଯ୍ୟୟ ମୁକାବିଲା ପରିଚାଳନାରେ ଏକ ମାଇଲ ଖୁଣ୍ଟ ହୋଇ ରହିବ। ଆଜି ସେହି ବାତ୍ୟାକୁ ୮ ବର୍ଷ ପୂରିଛି। ଏ ଅବସରରେ ଆମେ ଯିବା ସେହି ବ୍ରହ୍ମପୁରକୁ। ଯେଉଁଠି ଫାଇଲିନ ତାଣ୍ଡବ ରଚିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.