ଅନାଥ ହୋଇଗଲା ୪ ବର୍ଷର କୁନି ଝିଅ, ଆରପାରିକୁ ଚାଲିଗଲେ ବାପା ମାଆ

ନବରଙ୍ଗପୁର (କେନ୍ୟୁଜ) : ମା ଉଠ୍‌ …ମୋର ଆଉ କିଏ ଅଛି ଯେ, ଉଠି ଯାଲୋ ମାଆ…ତୁ ଏମିତି ଶୋଇଯାଆନି ଲୋ ମା.. ଉଠ ଲୋ ମା, ତୋ ବିନା ମୁଁ କେମିତି ବଞ୍ଚିବି ଲୋ… ମାର ଶବ ପାଖରେ ଲୁହ ଗଡେଇ ଗୁଣୁ ଗୁଣୁ ହଉଛି ୪ ବର୍ଷର କୁନି ଝିଅ ଦୁର୍ଗା। କିଛି ଜାଣିପାରୁନି ମା ତାର ଏମିତି କାହିଁକି ଶୋଇଛି। ସେ ଭାବୁଛି ମାଆ ତାର ନିଦରେ ଶୋଇଛି। ସେଥିପାଇଁ ମାର ଶବ ପାଖରେ ବସି ଲୁହ ଗଡାଇଚାଲିଛି ଝିଅ ଦୁର୍ଗା। ବାପା ମାଆ ଝିଅର ନାଁ ରଖିଥିଲେ ଦୁର୍ଗା। ବୋଧହୁଏ ସେଥିପାଇଁ ଏତେ କଅଁଳ ବୟସରେ ଏତେ କଷ୍ଟ ଯନ୍ତ୍ରଣାକୁ ସାମ୍ନା କରିବାକୁ ଏକାକୀ ଛାଡିଦେଲେ ଭଗବାନ।

ଦୁଃଖ କଣ ଏମିତି ବି ଆସେ? ସଡକ ଦୁର୍ଘଟଣାରେ ଗତ ୩ ବର୍ଷ ତଳେ ବାପା ଚାଲିଯାଇଥିଲେ। ମା ପର ଘରେ ମୂଲ ଲାଗି ଏଇ ଭଙ୍ଗା ଦଦରା ଘରେ ଝିଅ ଦୁର୍ଗାର କଅଁଳ ମୁହଁକୁ ଦେଖି ଦିନ କାଟୁଥିଲେ। ହେଲେ ଦଇବ ଏ କୁନି ଝିଅ ଭାଗ୍ୟରେ ଏତେ ଦୁଃଖ ଲେଖିଛନ୍ତି ବୋଲି କିଏ ଜାଣିଥିଲା। ଆଜି ମା ପୋଖରୀକୁ ଗାଧୋଇବା ଯିବାବେଳେ ବାଟରେ ପଡି ତାଙ୍କର ଅକସ୍ମାତ୍‌ ମୃତ୍ୟ ଘଟିଛି। ଏତେ ବଡ଼ ଦୁନିଆରେ ଦୁର୍ଗା ଆଜି ଏକୁଟିଆ। ଏ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ସହରସ୍ଥିତ ଇଛାବତୀ ଗୁଡା ଅଞ୍ଚଳ ର ବନ୍ଧମୁଣ୍ଡା ବସ୍ତିରେ।

dead bodyସ୍ୱାମୀ ଚକା ଜାନୀଙ୍କ ମୃତ୍ୟ ପରେ ସ୍ତ୍ରୀ ନିଳା ଜାନୀ ନିଜ ଝିଅ ଦୁର୍ଗାକୁ ଧରି ଦୁଃଖ କଷ୍ଟରେ ଦିନ କାଟୁଥିଲେ। ନିଳାଙ୍କୁ ପୂର୍ବରୁ ଫିଡ୍ସ ରୋଗ ଥିଲା ତେବେ ଆଜି ସେ ପୋଖରୀକୁ ଯିବା ବେଳେ ଫିଡ୍ସ ବାହାରି ତଳେ ପଡି ଯାଇଥିଲେ ଏବଂ ତାଙ୍କର ମୃତ୍ୟ ଘଟିଥିଲା। ସ୍ଥାନୀୟ ଲୋକେ ୱାର୍ଡ ମେମ୍ବର ସୁଧୀର ମହାପାତ୍ର ଙ୍କୁ ଜଣାଇବା ପରେ ଶବକୁ ସତ୍କାର କରିବାର ବ୍ୟବସ୍ତା କରାଯାଇଥିଲା।

ପରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଇଲଡ଼ ଲାଇନର ଏକ ଟିମ ମୃତ ନିଳାଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ନିଳାଙ୍କ ଦଶାହ କ୍ରିୟା ସରିବା ପରେ, କୁନି ଝିଅ ଦୁର୍ଗାର ଥଇଥାନ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ତା କରାଯିବା ସହ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ତା କରାଯିବ ବୋଲି ଚାଇଲଡ଼ ଲାଇନର କର୍ମକର୍ତ୍ତା କହିଛନ୍ତି। ଦୁର୍ଗା ଆଜି ଏକୁଟିଆ ହେଲେ ବି ତାକୁ ସାହାର ଦେବା ପାଇଁ ଏକ ହୋଇଯାଇଛନ୍ତି ବସ୍ତି ବାସିନ୍ଦା। ସମସ୍ତେ ଜିଲ୍ଲା ପ୍ରଶାସନ ଉପରେ ଆଶା ରଖିଛନ୍ତି ଯେ ନିଶ୍ଚୟ ଦୁର୍ଗାର ଭବିଷ୍ୟତ ଉଜ୍ଜ୍ୱଳ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.