ନିଜ ଗର୍ଭର ସନ୍ତାନ ଯେତେବେଳେ ପ୍ରାଣ ନେବାକୁ ପଛାଏ ନାହିଁ…

କଟକ: ମାଆ । ଏମିତି ଗୋଟିଏ ଶବ୍ଦ ଯେଉଁ ଶବ୍ଦରେ ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । ଇଏ କେବଳ ଗୋଟିଏ ଶବ୍ଦ ନୁହେଁ ବରଂ ଅସୀମ ବଳ, ଧର୍ଯ୍ୟ ଓ ସହନଶୀଳର ପ୍ରତୀକ । ମୃତ୍ୟୁର କୋଳରେ ଶୋଇ ଯିଏ ଦିନେ ନିଜ ଜୀବନକୁ ବାଜି ଲଗାଇ ଜନ୍ମ ଦିଏ ତା ସନ୍ତାନକୁ ସେ ହେଉଛି ମାଆ । ଜଣେ ମାଆ ନିଜ ସନ୍ତାନ ପାଇଁ ଦୁନିଆର ପ୍ରତ୍ୟେକ ବିପଦକୁ ସାମ୍ନା କରିବାକୁ ଠିଆ ହୋଇଥାଏ । ସେଥିପାଇଁ କୁହାଯାଏ ଯେ ଯଦି ଇଶ୍ୱରଙ୍କ ଠାରୁ ମହାନ୍ କେହି ଅଛନ୍ତି, ତେବେ ସେ କେବଳ ମାଆ । ହେଲେ ସେହି ମାଆ ତା ପିଲାଠାରୁ କଣ ବା ଆଶା ରଖିଥାଏ? କେବଳ ଟିକେ ସ୍ନେହ,ମମତା ଆଉ ଭଲପାଇବା ।  ତେବେ ଆଜିର ଏଇ ଘଟଣା ଖୁବ୍ ମର୍ମାହତ କରିବ ସବୁ ବାପା ମାଆଙ୍କୁ ଆଉ ସେମାନଙ୍କୁ ଭଲ ପାଉଥିବା ସବୁ ସନ୍ତାନଙ୍କୁ ।

କଟକରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା ଯାହା କଳ୍ପନା ବାହାରେ । ପୁଅ ଭୁଲିଗଲା ମାଆର ମମତା । ଯେଉଁ ମାଆର ପଣତ କାନିରେ ଘୋଡ଼ାଇ ହୋଇ ରହୁଥିଲା, ସେହି ମାଆର ଶେଷରେ ଜୀବନ ନେଇଗଲା । କଟକ ମହାନଦୀବିହାର ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ହତ୍ୟା । ତେବେ ସନ୍ଦେହ ଘେରରେ କେହି ବାହାର ଲୋକ ନାହାନ୍ତି, ବରଂ ଅଛନ୍ତି ଦୁଇ ଦୁଇ ଜଣ ଜନ୍ମ କଲା ପୁଅ ।

ଯାହା ସୂଚନା ମିଳିଛି, ସକାଳୁ ସକାଳୁ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ, ପାଖ ପଡୋଶୀ । ଏଘଟଣା ପରେ ବଡ ପୁଅକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ । ଏପଟେ ସାନ ପୁଅ ଫେରାର ଥିବା ଜଣାପଡିଛି । ଏକ ମାରଣାସ୍ତ୍ରରେ ବୃଦ୍ଧାଙ୍କୁ ଅତର୍କିତ ଭାବେ ଆକ୍ରମଣ କରାଯାଇଥିବା କହିଛି ପୋଲିସ୍ । ତେବେ ଘଟଣା  ପଛର କାରଣ ଅସ୍ପଷ୍ଟ ରହିଛି।

ଏ ହେଉଛି କଟକ ମହାନଦୀ ବିହାର ଅଞ୍ଚଳ ସେକ୍ଟର ଦୁଇ ଅଞ୍ଚଳର ପ୍ଲଟ ନମ୍ବର ୭୧୪ । ଘର ବାରଣ୍ଡାରେ ପଡ଼ିଛି ଜଣେ ୮୦ ବର୍ଷ ବୟସ ପାଖାପାଖି ମହିଳାଙ୍କ ମୃତଦେହ । ମହିଳାଙ୍କ ନାଁ ଅନିମା ମହାନ୍ତି । ଦୁଇ ମହଲା ଘରେ ରହୁଥିଲେ । ଦୁଇ ଅବିବାହିତ ପୁଅ ଓ ଏହି ମୃତ ବୃଦ୍ଧା ମହିଳା । ସ୍ୱାମୀ ଓ ଝିଅ ଆରପାରିକୁ ଚାଲିଯାଇଥିଲେ ।

ତେବେ ସକାଳୁ ସକାଳୁ ଘରର ଆସବାବପତ୍ର ଗେଟ ପାଖରେ ଗଦା ହୋଇଥିବା ଦେଖିବାକୁ ପାଇଥିଲେ ପାଖ ପଡୋଶୀ। ଖୋଲାଥିଲା ଘରର ମୁଖ୍ୟ ଫାଟକ । ଦେଖିବା ବେଳକୁ ବଡ ପୁଅ ଘର ବାରଣ୍ଡାରେ ବସି ମୃତ ମା ଉପରେ ପାଇପରେ ପାଣି ସ୍ପ୍ରେ କରୁଥିଲେ । ବୋହି ଯାଉଥିଲା ଖାଲି ନାଲି ପାଣି । ପଚାରିବାରୁ କିଛି ହୋଇ ନାହିଁ, ଅଦରକାରୀ ଜିନିଷ ଫିଙ୍ଗି ଦେଇଛି ଅଳିଆ ଗାଡି ନେଇ ଯିବ ବୋଲି କହିଥିଲା ବଡ ପୁଅ ଅଂଶୁମାନ୍ ମହାନ୍ତି । ସଙ୍ଗେ ସଙ୍ଗେ ଏନେଇ ଚାଉଳିଆଗଞ୍ଜ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ୍ ଆସି ପହଞ୍ଚିଥିଲା । ସେତେ ବେଳକୁ ଦୁଇ ପୁଅ ଘରେ ନ ଥିଲେ । ଖୋଜାଖୋଜି ପରେ କିଛି ଦୂରରେ ମିଳିଥିଲା ବଡ ପୁଅ । ସାନ ପୁଅ କେଉଁଠି ଖୋଜୁଛି ପୋଲିସ୍ । କ୍ରାଇମ୍ ସ୍ପଟ୍ କୁ ଆଦି ତଥ୍ୟ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍।

ଦୁଇ ପୁଅ ଶିକ୍ଷିତ ବୋଲି ସୂଚନା ଦେଇଛନ୍ତି ପାଖ ପଡୋଶୀ । ତେବେ ପୂର୍ବରୁ ଉଭୟ ମାଆଙ୍କର ବେଶ୍ ଯତ୍ନ ନେଉଥିଲେ ବୋଲି ପଡୋଶୀ କହିଥିବାବେଳେ, ଘର ଭିତରୁ ଅନେକ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଙ୍ଗା ଫୋପଡା କଚଡା ଆଦି ଶବ୍ଦ ଶୁଭୁଥିବା କହିଛନ୍ତି । ତେବେ ବିଗତ କିଛି ମାସ ହେବ ଦୁଇ ପୁଅଙ୍କର ମାନସିକ ସ୍ଥିତି ଭଲ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଗତକାଲି ମାଆଙ୍କୁ ସାଙ୍ଗରେ ଏକ ଅଟୋ ରିକ୍ସାରେ ଧରି କେଉଁ ଆଡେ ଯାଇଥିଲେ ଦୁଇ ପୁଅ । ଘର କବାଟ ଖୋଲାଥିଲା । ତେଣୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ୍ ମଧ୍ୟ ଆସି ପହଂଚିଥିଲା । ହେଲେ ଅଧ ଘଣ୍ଟା ପରେ ପୁଣି ମାଆକୁ ଧରି ଫେରିଥିଲେ ଦୁଇ ପୁଅ । ତେବେ ଗତକାଲି ରାତି ୩ ଟା ପର୍ଯ୍ୟନ୍ତ ଘର ଭିତରୁ ଶବ୍ଦ ଶୁଭୁଥିବାବେଳେ ଆଜି ସକାଳେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ଏପଟେ କିଛି ଦିନ ତଳେ ଦୁଇ ଭାଇ ଉଲଗ୍ନ ହୋଇ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଦୁଇ ପୁଅ ମାନସିକ ରୋଗୀ ବା ବିକାରଗ୍ରସ୍ତ କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ । ଏପଟେ ଏହି ଘଟଣା ପଛରେ ଦୁଇ ପୁଅ ନା ଗୋଟିଏ ପୁଅ ନା ଆଉ କିଏ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ନିଜ ଗର୍ଭରୁ ଜନ୍ମ ଦେଇଥିବା ସନ୍ତାନ ଯେତେବେଳେ ପ୍ରାଣ ନେବାକୁ ପଛାଏ ନାହିଁ ସେତେବେଳେ ସମଗ୍ର ସମାଜ ପାଇଁ ଏହା ଏକ ନିନ୍ଦା ଓ ପ୍ରଶ୍ନବାଚୀ ସୃଷ୍ଟି କରେ । ବରିଷ୍ଠ ନାଗରିକ ଯଦି ନିଜ ଘରେ ହିଁ ଅସୁରକ୍ଷିତ ରହିବେ ତେବେ ପୋଲିସ୍ କରିବ ବା କଣ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like