ହଜିଗଲା ମାନବିକତା, ଟ୍ରଲିରେ ଶୋଇ ଚାଉଳ ଗୋଦାମକୁ ଗଲେ ୮୫ ବର୍ଷୀୟ ବୃଦ୍ଧ

ଲକ୍ଷ୍ମୀପୁର: ମାତ୍ର ୪୫ କିଲୋ ଚାଉଳ ପାଇଁ ଦହଗଞ୍ଜ ହୋଇଛନ୍ତି ଶଯ୍ୟାଶାୟୀ ବୃଦ୍ଧ । ଚାଉଳ ନେଲେ ଘରେ ଚୁଲି ଜଳିବ । କିନ୍ତୁ ଟିପ ଚିହ୍ନ ନଦେଲେ ଚାଉଳ ମିଳିବନି । ତେଣୁ ବାଧ୍ୟ ହୋଇ ଟ୍ରଲିରେ ଶୋଇ ଶୋଇ ବୃଦ୍ଧ ଜଣକ ଚାଉଳ ଗୋଦାମକୁ ଆସିଥିଲେ । ବୟସ ଯେତିକି ତାଠୁ ଅଧିକ ବାର୍ଦ୍ଧକ୍ୟଜନିତ ରୋଗ । ଏପରିସ୍ଥିତିରେ ଚାଉଳ ଗୋଦାମକୁ ଆସିବା କଷ୍ଟକର । ତେଣୁ ବୃଦ୍ଧଙ୍କ ସ୍ତ୍ରୀ ୧୦୦ ଟଙ୍କା ଖର୍ଚ୍ଚ କରି ସ୍ୱାମୀଙ୍କୁ ଗୋଟିଏ ଟ୍ରଲିରେ ବୋହି ଚାଉଳ ଗୋଦାମକୁ ଆଣିଥିଲେ ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ଗାଁ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ନାରାୟଣପାଟଣା ଚଂପିକଟା ସାହିର ୮୫ ବର୍ଷୀୟ ବୃଦ୍ଧ ଲିଙ୍ଗୁ ଟ୍ରେପେକା ସୁସ୍ଥ ଥିବା ବେଳେ ଚାଉଳ ନେବା ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯାଉଥିଲେ । କିନ୍ତୁ ଏବେ ବୟସ ହୋଇ ଯାଇଥିବାରୁ ଶଯ୍ୟାଶାୟୀ । ତେଣୁ ତାଙ୍କ ସ୍ତ୍ରୀ ତୁଳସୀ ଟ୍ରେପେକା ଚାଉଳ ଆଣିବା ପାଇଁ ଯାଇଥିଲେ । ହେଲେ ଚାଉଳ ଦେବାକୁ ମନା କରି ଦେଇଥିଲେ ଅଧିକାରୀ । ଲିଙ୍ଗୁଙ୍କ ସ୍ତ୍ରୀ କହିବା ଅନୁଯାୟୀ ଲିଂଗୁ ପ୍ରତି ୩ ମାସକୁ ଥରେ ଚାଉଳ ଗୋଦାମକୁ ଯାଇ ଚାଉଳ ଆଣନ୍ତି । ବାୟୋମାଟ୍ରିକ ଯୋଗୁଁ ଟିପ ଚିହ୍ନ ଜରୁରୀ ଥିବାରୁ ଗୋଦାମ ଡିଲର ହିତାଧିକାରୀଙ୍କୁ ସାଙ୍ଗରେ ଆଣିବାକୁ କହିଲେ, ନ ହେଲେ ଚାଉଳ ମିଳିବନି ବୋଲି ରୋକ୍ ଠୋକ୍ ମନାକଲେ । ତେଣୁ ବାଧ୍ୟ ହୋଇ ତୁଳସୀ ୧୦୦ ଟଙ୍କା ଖର୍ଚ୍ଚ କରି ଟ୍ରଲିରେ ନିଜ ସ୍ୱାମୀଙ୍କୁ ବୋହି ଆଣିଥିଲେ । ଆଗେ ଆଗେ ସ୍ୱାମୀ ଥିଲେ ତ ପଛେ ପଛେ ସ୍ତ୍ରୀ ଯାଉଥିଲେ । ଗୋଦାମରେ ପହଞ୍ଚିବା କ୍ଷଣି ଅଧିକାରୀ ଟ୍ରଲି ନିକଟକୁ ଦୌଡ଼ି ଆସି ବୃଦ୍ଧଙ୍କ ଠାରୁ ଟିପ ଚିହ୍ନ ନେଇଥିଲେ । ତେବେ ଏ ଘଟଣାକୁ ନେଇ ଯୋଗାଣ ସହାୟକ କହିଛନ୍ତି ସରକାର ବାୟୋ ମ୍ୟାଟ୍ରିକ ବ୍ୟବସ୍ଥା କରିଛନ୍ତି, ଟିପ ଚିହ୍ନ ନଦେଲେ ଚାଉଳ ଦେବା କଷ୍ଟକର, ତେଣୁ ଏପରି ଘଟିଛି । ଆସନ୍ତା ଥର ଆମେ ଘରକୁ ଯାଇ ଟିପ ଚିହ୍ନ ନେଇ ବୃଦ୍ଧା ହିତାଧିକାରୀଙ୍କୁ ଚାଉଳ ଯୋଗାଇବୁ ବୋଲି କହିଛନ୍ତି।

ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଘରେ ଘରେ ଚାଉଳ ଓ ଭତ୍ତା ପହଞ୍ଚାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଠାରେ ସମସ୍ତ ବ୍ୟବସ୍ଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଯୋଗାଣ ବିଭାଗର ଏ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଯେମିତି ଏଭଳି ପରିସ୍ଥିତି ନଉପୁଜେ ସେଥିପ୍ରତି ଅଧିକାରୀମାନେ ଧ୍ୟାନ ଦିଅନ୍ତୁ । ନହେଲେ ଏହା ମାନବିକତାର ହତ୍ୟା ବୋଲି କହିହେବ ।

 

You might also like