ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ଧାଇଁ ଆସିଲେ ୮୫ ବର୍ଷୀୟା ବୃଦ୍ଧା, ମୁଣ୍ଡିଆ ମାରି କଲେ କ୍ଷୋଭ ପ୍ରକାଶ

ରେଢାଖୋଲ: ଅସୁବିଧା, ଅସୁବିଧା, ଅସୁବିଧା । ସବୁଥିରେ ଅସୁବିଧା । ଅସୁବିଧାର ସମାଧାନ ଓଡିଶା ସରକାର ହିଁ କରିବେ । ମୋ କଥା ନିଶ୍ଚୟ ଶୁଣିବେ । ସେ ନବୁଝିଲେ ମୋ କଥା କିଏ ବୁଝିବ । ତାଙ୍କ ଭରସାରେ ତ ମୁଁ ଏଠିକି ଧାଇଁ ଆସିଛି । ସଂକଟ ପଡିଥିଲା ବେଳେ ମୃଗୁଣୀ ଡାକିଥିଲେ ସ୍ଵୟଂ ନାରାୟଣଙ୍କୁ ଏବେ ମୁଁ ସେମିତି କଲେକ୍ଟରଙ୍କୁ ଡାକୁଛି ତାଙ୍କ ଉପରେ ମୋର ଭରସା ରହିଛି ।
ହଁ ଆଜ୍ଞା ଅଣ୍ଟା ନଇଁ ଗଲାଣି । ଭଲକି ଦି ପାଦ ଚାଲି ପାରୁନାହାନ୍ତି । ତଥାପି ନିଜର ସମସ୍ୟା ନେଇ ବହୁ କଷ୍ଟରେ ଅଟୋ ଭଡାକରି ଧାଇଁ ଆସିଛନ୍ତି ୮୫ ବର୍ଷୀୟା ଅସହାୟ ବୃଦ୍ଧା । ଅଣ୍ଟା ନଇଁ ନଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରକୋଷ୍ଟକୁ ଆସି ମୁଣ୍ଡିଆ ମାରି ନିଜର ଗୁହାରି ଜଣେଇଛନ୍ତି । ଦେହରେ ବଳ ନଥିବା ବେଳେ ନିଜର ବ୍ୟାଗ୍ ମୁଣାରେ କିଛି କାଗଜପତ୍ର ଧରି ଗୁହାରି କରିଥିଲେ ବଡବଡିଆ ବାବୁ ମାନଙ୍କୁ । ବୃଦ୍ଧାଙ୍କ ଏପରି ଗୁହାରି ଦେଖି ଚୌକିରେ ବସିଥିବା ସମସ୍ତ ଅଧିକାରୀ ତାଙ୍କ ପାଖକୁ ଆସି ଗୁହାରି ଶୁଣିଥିଲେ ।
ଏ ଦୃଶ୍ୟ ରେଢାଖୋଲ ବ୍ଲକରେ ହେଉଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବେଳର । ରେଢାଖୋଲ ଏନଏସି ଦୁଇ ନମ୍ବର ୱାର୍ଡ ର ୮୫ ବର୍ଷୀୟା ଅସହାୟ ବୃଦ୍ଧା ଉର୍ମୀଳା ସାହୁ । ବହୁ ବର୍ଷ ଧରି ନିଜ ଘରକୁ ପିଇବା ପାଣିର ସଂଯୋଗ, ବିଜୁଳି ସଂଯୋଗ ଓ ପାଇଖାନାଟିଏ ପାଇଁ ଗୁହାରି କରୁଛନ୍ତି । ଆଗେ ବଳ ବୟସ ଥିଲା ବୋଲି ଚଳି ଯାଉଥିଲେ କିନ୍ତୁ ଗତ କିଛି ବର୍ଷ ହେଲାଣି ଆଉ ପାରୁନାହିଁନ୍ତି । ଏଣୁ ପ୍ରମୁଖ ତିନୋଟି ସମସ୍ୟା ପାଇଁ ସମସ୍ତଙ୍କୁ କହି କହି ଥକିଗଲେଣି ହେଲେ କେହି ଶୁଣୁନାହାଁନ୍ତି ।
ତେଣୁ କ୍ଷୋଭର ସହ ସରକାରଙ୍କୁ କହିଛନ୍ତି, ଚାଲ ମୋର ଘରକୁ ଯାଇ ସବୁ ପ୍ରକାରର ଇନକ୍ୟୁଆରି କରିବ । ସୁଭଦ୍ରାରେ ସମସ୍ତଙ୍କୁ ୫ହଜାର ଦେଉଛ ମୋତେ ବିଜୁଳି ସଂଯୋଗ ପାଇଁ ୧୦ହଜାର ମାଗୁଛ ବୋଲି ସେ କହିଛନ୍ତି । ତେବେ ଉର୍ମୀଳାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଗୋଟିଏ ସପ୍ତାହ ମଧ୍ୟରେ ସମାଧାନ କରାଯିବ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ।
ଦୀର୍ଘ ବର୍ଷ ହେଲାଣି ଏହି ଅସହାୟ ବୁଢ଼ୀ ମାଆଟିର ଗୁହାରୀ କେହି ବି ଶୁଣୁ ନାହାନ୍ତି । ସମସ୍ତେ ଅଣଦେଖା କରି ଆଡେଇ ଯାଉଛନ୍ତି । ତଥାପି ବୟସର ଅପରାହ୍ନରେ ଅସହାୟ ବୃଦ୍ଧା ଆଗେଇ ଆସିଛନ୍ତି ନିଜ ସମସ୍ୟାର ସମାଧାନ କରିବାକୁ । ଶରୀରର ପଞ୍ଜରା ହାଡ଼ ବି ଗଣି ହେଇଯାଉଛି । ଏଭଳି ଅବସ୍ଥାରେ ନିଜ ସମସ୍ୟାର ସମାଧାନ କରି ଜୀବନ ବଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଯଥାଶୀଘ୍ର ସରାକାର ଏହି ବୃଦ୍ଧାଙ୍କ ଉପରେ ଦୃଷ୍ଟି ପକାଇ ସମସ୍ୟାର ସମାଧାନ କରିବା ନିହାତୀ ଆବଶ୍ୟକ ।
ଆହୁରି ପଢନ୍ତୁ: ବଣ୍ଡା ଘାଟିରେ ଜଳ କଷ୍ଟ, ପାଣି ଟୋପାଏ ପାଇଁ ହସ୍ତସନ୍ତ ଲୋକେ