ବାଲିଗୁଡା: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକଙ୍କ ନିର୍ଧୁମ ମାଡ଼ । ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖେଳ ଶିକ୍ଷକ ଛାତ୍ରୀମାନଙ୍କୁ ବାଡ଼ିରେ ନିର୍ଧୁମ ପ୍ରହାର କରିଥିବା ଗୁରୁତର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଖେଳ ଶିକ୍ଷକ ବିକ୍ରମ କେଶରୀ ବେହେରାଙ୍କ ବିରୋଧରେ ଆସିଛି ଏପରି ଗୁରୁତର ଅଭିଯୋଗ ।
ସୂଚନା ଅନୁଯାୟୀ ଗତକାଲି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ କିଛି ଛାତ୍ରୀ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେବା ସହ ହସାହସି ହୋଇଥିଲେ । ଯାହା ଦେଖି ସାରଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ହସାହସିକୁ ନେଇ ଖେଳ ଶିକ୍ଷକ ବିକ୍ରମ କେଶରୀ ବେହେରା ବଦୁଙ୍ଗିଆ ଗାଁର ଛାତ୍ରୀଙ୍କୁ ନିର୍ଧୁମ ପିଟିଥିଲେ । ଶିକ୍ଷକଙ୍କ ମାଡ଼ ଏତେ ଜୋରରେ ଥିଲା ଯେ ୫ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ଛୁଟି ହେବା ପରେ ମାଡ଼ ଖାଇଥିବା ଛାତ୍ରୀମାନେ ଘରକୁ ଫେରିବା ପରେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ ।
ପରିବାର ଲୋକ ସେମାନଙ୍କୁ ସ୍ଥାନୀୟ ବୁଡ଼ାଗୁଡା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଏପରି ଘଟଣା ପରେ ଛାତ୍ରୀମାନେ ଭୟଭୀତ ହୋଇଥିବା କାରଣରୁ ବିଦ୍ୟାଳୟରୁ ଘରକୁ ଫେରାଇ ନେଇଛନ୍ତି ଅଭିଭାବକ । ଏଥିସହ ଖେଳ ଶିକ୍ଷକ ବିକ୍ରମ କେଶରୀ ବେହେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଛାତ୍ରୀଙ୍କୁ ସ୍କୁଲକୁ ପଠାଇବାକୁ ମନା କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା । ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ।
ଜୀବନରେ ବାପା-ମାଆ, ଭାଇ-ଭଉଣୀ ,ସ୍ୱାମୀ-ସ୍ତ୍ରୀର ସଂପର୍କଠାରୁ ମଧ୍ୟ ଖୁବ ନିଆରା ହୋଇଥାଏ ଗୁରୁ-ଶିଷ୍ୟଙ୍କ ସଂପର୍କ । ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନ ଗୁରୁ୍ଙ୍କୁ ଦିଆଯାଇଛି । ଯଦି ବିଦ୍ୟାଦାନ କରୁଥିବା ଶିକ୍ଷକଙ୍କ ସ୍ୱଭାବ ଏଭଳି ହେବ, ଯଦି ବିଦ୍ୟାଳୟରେ କୁନିକୁନି ପିଲାଙ୍କୁ ଏଭଳି ନିର୍ଯାତନା ଦିଆଯିବ ତାହେଲେ ଆଗାମୀ ଭବିଷ୍ୟତ କ’ଣ ହେବ ତାହା ତ ଆପଣ ଅନୁମାନ କରୁଥିବେ ।