ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲା ଓ ଜିଲ୍ଳା ବାହାରରେ ଲୁଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍ର 9 ଜଣ ଅଭିଯୁକ୍ତଙ୍କୁ କାବୁ କରିପାରିଛି ଗଞ୍ଜାମ ପୋଲିସ । ଗିରଫ ହୋଇଥିବା ଲୁଟେରା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅର୍ଜୁନପଲ୍ଲୀ ଗାଁର ଯୋଗୀ ଗୌଡ଼ , ଆ.ଇବି ରୋଡର ସୁନିଲ ମହାନ୍ତି, ଆଦିତ୍ୟ ପାଲାଇ ଓ ସଞ୍ଜୟ ନାହାକ, ବଡ଼ଆଗୁଳ ଗାଁର ତନୁଜା ସ୍ୱାଇଁ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗାଁର ଶିବରାମ ଦାସ, ପାଟପୁର ଥାନା ଅନ୍ତର୍ଗତ ଏସ.ଗୋପାଳପୁର ଗାଁର ଅଶ୍ୱିନୀ ଗୌଡ଼,ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗାଁର ମନୋଜ ଗୌଡ଼, ଫୁଲାବାଣୀର ଭାରତ ପ୍ରଧାନ, ସେମାନଙ୍କ ଠାରୁ 4ଟି ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, 10ଟି ଜୀବନ୍ତ ଗୁଳି, 4 ଖୋକା, ଗୋଟିଏ ଖଣ୍ଡା, 4 ମୋଟର ସାଇକେଲ ଓ 16ଟି ମୋବାଇଲ୍ ଜବତ କରିଛି ପୋଲିସ ।
ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲା ବାହାରରେ ରହିଥିବା ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ପିସ୍ତଲ ଦେଖାଇ ଲୁଟ କରିଚାଲିଥିଲେ ଏହି ଲୁଟେରା ମାନେ । ଜିଲ୍ଲା ତଥା ଜିଲ୍ଲା ବାହାରର କିଛି ଥାନାରେ ଦୀର୍ଘ ଦିନ ଧରି ଏହି ଅଭିଯୁକ୍ତ ମାନେ ନିଜର ଆତଙ୍କ ଚଳାଇଥିଲେ । ଦୀର୍ଘ ଦିନର ପରିଶ୍ରମ ପରେ ଶେଷରେ ଏହି ଲୁଟେରାଗ୍ୟାଙ୍ଗ୍କୁ ଗିରଫ କରିବାରେ ସଫଳ ହୋଇପାରିଛି ଗଞ୍ଜାମ ପୋଲିସ । ଜିଲ୍ଲାର ଆସିକା, ପୁରୁଷୋତ୍ତମପୁର, ଗାଙ୍ଗପୁର, ରମ୍ଭା, ପୋଲସରା ଭଳି ବିଭିନ୍ନ ଥାନା ଅଞ୍ଚଳରେ ଲୁଚି ରହିଥିବା ଏହି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଗ୍ୟାଙ୍ଗରେ ଜଡ଼ିତ ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଧରିବା ନିମନ୍ତେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଛି । ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଗିରଫ ହେବେ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ । ଗିରଫ ପରେ 9 ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।