ଚଳିତ ବର୍ଷ ଭଦ୍ରକ ଚରମ୍ପା ଅଞ୍ଚଳର ମାଟ୍ରିକ୍‌ ପରୀକ୍ଷା ପାସ୍‌ କରିଛନ୍ତି ୯ ଜଣ କିନ୍ନର

ଆଜିର ସମାଜରେ କିନ୍ନର ଜୀବନ କେତେ ଯନ୍ତ୍ରଣା ଦାୟକ ତାହା ସମସ୍ତେ ବୁଝିଛନ୍ତି । କେବଳ ସେଇମାନେ ହିଁ ଅନୁଭବ କରିଛନ୍ତି ତାଙ୍କର କଷ୍ଟ ଯନ୍ତ୍ରଣା । କିନ୍ନର ନାଁ ଶୁଣିଲେ ଲୋକେ ନାକ ଟେକି ଥାଆନ୍ତି । ରାସ୍ତାରେ ମୁହଁ ବୁଲାଇ ପଳାଇ ଯାଆନ୍ତି । ….ତେବେ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ନିଷ୍ଠା, ଉଦ୍ୟମ, ଏକାଗ୍ରତା ଥିଲେ ପ୍ରତିକୂଳ ପରିସ୍ଥିତି ବି ହାର ମାନିଥାଏ । ଏକଥା ପ୍ରମାଣିତ କରି ଦେଖାଇଛନ୍ତି ୯ ଜଣ କିନ୍ନର । ପାସ୍ କରିଛନ୍ତି ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପାସ୍ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏକଥା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ । କିନ୍ନର ବୋଲି ସହିବାକୁ ପଡ଼ିଥିଲା ଟାହିଟାପରା। ଆସିଥିଲା ଅନେକ ବାଧାବିଘ୍ନ। ହେଲେ ଏସବୁ ସତ୍ତ୍ବେବି ପାଠ ପଢ଼ିବାକୁ ମନ ବଳାଇଥିଲେ। ଲକ୍ଷ୍ୟ ଥିଲା ପାଠ ପଢ଼ି ଶିକ୍ଷିତ ହେବା। ଆଉ ତାହା କରି ଦେଖାଇଛନ୍ତି ଏହି ୯ଜଣ।

ଶୁକ୍ରବାର ଦିନ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପାସ କରିଛନ୍ତି କିନ୍ନରମାନେ । ଭଦ୍ରକ ଚରମ୍ପା ଅଞ୍ଚଳରେ ରହୁଥିବା କିନ୍ନରମାନଙ୍କ ମଧ୍ୟରୁ ୯ ଜଣ କିନ୍ନର ଚଳିତ ବର୍ଷ ସ୍ଥାନୀୟ ଆରସିବି ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଆଉ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଏହି କିନ୍ନରମାନେ ପୂର୍ବରୁ ବହୁ କଥା ଶୁଣିବା ସହ ଲୋକମାନେ ଟାହି ଟାପରା କରୁଥିଲେ । ହେଲେ ଆଜି ସେହି ଲୋକମାନେ କିନ୍ନରମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଭଦ୍ରକ କିନ୍ନର ସଙ୍ଘର ସଭାପତି ସୋମ୍ୟା ଦାସ ଦୀର୍ଘ ଦିନ ଧରି ଏହି କିନ୍ନର ପିଲାମାନଙ୍କୁ ରଖି ପାଠ ପଢ଼ାଇବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏମାନଙ୍କୁ ସରକାର ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି । ଏହି କିନ୍ନରମାନଙ୍କ ମଧ୍ୟରୁ ଦୁଇ ଜଣ ‘C’ ଗ୍ରେଡରେ ପାସ କରିଥିବା ବେଳେ ୭ ଜଣ ‘B’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିଜ ନିଜ ସଫଳତାରେ ସେମାନେ ବହୁତ ଖୁସି । ଏଥିପାଇଁ ଗୁରୁଜୀ ଓ ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି । ସେମାନେ ଆଗକୁ ଆହୁରି ପାଠ ପଢିବେ ବୋଲି କହିଛନ୍ତି । ଭଲ ପଢ଼ି ଚାକିରି କରିବେ । ସରକାର ସେମାନଙ୍କୁ ସହାୟତା କଲେ ସେମାନେ ଆଗକୁ ବଢ଼ି ପାରିବେ ବୋଲି କହିଛନ୍ତି ।

ସେ ଶିକ୍ଷାନୁଷ୍ଠାନ ହେଉ ଅବା କର୍ମସ୍ଥଳ ପ୍ରତି କ୍ଷେତ୍ରରେ ସମାଜର କିଛି ଲୋକ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ସବୁବେଳେ ମାନସିକ ନିର୍ଯାତନାର ଶିକାର ହୁଅନ୍ତି ଏମାନେ । ଏମାନଙ୍କୁ ନା ନିଜ ପରିବାର ଗ୍ରହଣ କରେ ନା ସମାଜ । ସେଥିପାଇଁ ରାଜ ରାସ୍ତାରୁ ଆରମ୍ଭ କରି ବସ୍ , ଟ୍ରେନ ସବୁଠି ହାତ ପତାଇବାକୁ ପଡ଼େ ଏମାନଙ୍କୁ । ଇଚ୍ଛା ବିରୋଧରେ ଏଭଳି ଜୀବନ ବିତାଇବାକୁ ପଡ଼େ । କିନ୍ତୁ ତଥାପି ହାର୍ ନ ମାନି ସଂଘର୍ଷ କରି ଚାଲିଛନ୍ତି କିନ୍ନର ସମାଜ ମୁଖ୍ୟଧାରରେ ସାମିଲ ହେବା ପାଇଁ । ….ମାଟ୍ରିକ ପାସ କରିବା ପରେ ଏଇ ପିଲାମାନଙ୍କର ଖୁସି କହିଲେ ନ ସରେ । ଆଗକୁ ମଧ୍ୟ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପାର କରି ଜୀବନରେ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି ।

Also read:ହୁତୁ ହୁତୁ ହୋଇ ଜଳିଗଲା ବ୍ୟାଟେରୀ ସ୍କୁଟି, ଗାଡ଼ି ଚାଳକ ସୁରକ୍ଷିତ