ଅଜଣା ଗାଡି ଧକ୍କାରେ ଚାଲିଗଲା ୯ବର୍ଷର ବାଳକର ଜୀବନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଶବକୁ ରଖି ରାସ୍ତାରୋକ୍

ନବରଙ୍ଗପୁର(କେନ୍ୟୁଜ୍‌): ଘରୁ ବାହାରିଥିଲା ସ୍କୁଲ ଯିବାକୁ । ମା ବାପା ମଧ୍ୟ ସକାଳୁ ନିଜ ପୁଅକୁ ଖୁଆଇ ସଜ ବାଜ କରି ପଠେଇ ଥିଲେ ସ୍କୁଲ। ହେଲେ ଦଇବ ଯେ ଏତେ ନିଷ୍ଠୁର କିଏ ଜାଣିଥିଲା। ଅଜଣା ଏକ ବୋଲେରୋ ଗାଡି ଧକ୍କାରେ ଚାଲିଗଲା ୯ବର୍ଷର ନିଷ୍ପାପ ଶିଶୁର ଜୀବନ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁର ଯୁଧିଷ୍ଠିର ଭତରାଙ୍କ ୯ବର୍ଷର ପୁଅ ହିମାଂଶୁ । ଗତକାଲି ସକାଳୁଆ ସ୍କୁଲ ବୋଲି ୬ଟା ଘରୁ ବାହାରିଥିଲା ,ହେଲେ ଘରୁ ମାତ୍ର କିଛି ବାଟ ଯିବା ପରେ ଏକ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡି ହିମାଂଶୁକୁ ଧକ୍କା ଦେଇ ଚାଲି ଯାଇଥିଲା।

ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ହିମାଂଶୁକୁ ମୃତ ଘୋଷଣା କରିଥିଲେ । ଗାଁ ରେ ଶବ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ। ଝିପି ଝିପି ବର୍ଷା ରେ ମଧ୍ୟରେ ଶବକୁ ରାସ୍ତାରେ ରଖି ରାସ୍ତା ରୋକ କରିଥିଲେ ଗ୍ରାମବାସୀ।

୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ନନ୍ଦାହାଣ୍ଡି ବ୍ଲକକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିନ୍ଧିଗୁଡା ଠାରେ ଅବରୋଧ କରିଥିଲେ। ଏପଟେ ରାସ୍ତା ଅବରୋଧ ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଥିଲା ବହୁ ଗାଡି। ନବରଙ୍ଗପୁର ଟାଉନ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ଯ ଗ୍ରାମବାସୀ କିନ୍ତୁ ଜିଦରେ ଅଟଳ ରହିଥିଲେ। ରାସ୍ତାରୋକ ଜାରି ରହିଥିବାବେଳେ, ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.