ତାମିଲନାଡୁରେ ଫସିଛନ୍ତି ସୁନ୍ଦରଗଡ଼ର ୯୦ ଯୁବତୀ

ସୁନ୍ଦରଗଡ଼ : କାମ କରିବାକୁ ଯାଇ ତାମିଲନାଡୁରେ ଫସିଛନ୍ତି ସୁନ୍ଦରଗଡ଼ର  ୯୦ ଯୁବତୀ ।  ତାଲିମ ଓ ନିଯୁକ୍ତି ନାଁରେ ସେମାନେ ଠକେଇ ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ।  ପ୍ରଥମେ ତାଲିମ ଓ ପରେ ନିଯୁକ୍ତି ନେଇ ଲେଫ୍ରିପଡ଼ାର ବିଭିନ୍ନ ବ୍ଲକରୁ ପ୍ରାୟ ୯୦ ଜଣ ଯୁବତୀ ତାମିଲନାଡୁ ଯାଇଛନ୍ତି।  ପ୍ରଥମେ କଟକର ଏକ ତାଲିମ କେନ୍ଦ୍ରରେ ୪୫ ଦିନ ଟ୍ରେନିଂ ନେବା ପରେ ସେମାନଙ୍କୁ ତାମିଲନାଡୁ ପଠାଯିବାକୁ ସ୍ଥିର ହୋଇଥିଲା।

କିନ୍ତୁ ଟ୍ରେନିଂ ସରିବା ପରେ ଯୁବତୀମାନେ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ସୁଦ୍ଧା ସେମାନଙ୍କୁ ଜୋର ଜବରଦସ୍ତ ତାମିଲନାଡୁ ପଠେଇ ଦିଆଯାଇଥିଲା ।  ସେଠାରେ ସେମାନଙ୍କୁ ପ୍ରବଳ ନିର୍ଯାତନା ଦିଆଯାଉଥିବା ଅଭିଭାବକ ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ।

ପରେ ଅଭିଭାବକ ମାନେ ଯୁବତୀମାନଙ୍କୁ ଫେରାଇ ଆଣିବାକୁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଏନେଇ ଚାରି ଚାରି ଥର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଡିଆରଡିଏ ଛକରେ ଧାରଣା ଦେଇଛନ୍ତି ।  ଆଗାମୀ ୭ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ନ ଆଣିଲେ ୨୨ ତାରିଖରୁ ସୁନ୍ଦରଗଡ଼ ବନ୍ଦ ଡାକରା ପାଇଁ ଚେତାବନୀ ଦେଇଛନ୍ତି ।

You might also like