ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭଦ୍ରକ-୨୮, ବାଲେଶ୍ୱର-୧୭, ଗଞ୍ଜାମ-୧୫, କଟକ-୧୨, ପୁରୀ-୭, କେନ୍ଦୁଝର-୪, ଖୋର୍ଦ୍ଧା-୩, ବଲାଙ୍ଗିର-୨,କେନ୍ଦ୍ରାପଡା-୧, ସମ୍ବଲପୁର-୧, ସୁନ୍ଦରଗଡ଼ରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ। ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି। ମୃତକ ଦୁଇ ଜଣ ପୁରୁଷ, ଗଞ୍ଜାମ ଜିଲ୍ଲାର। ଏମାନେ ସୁରତରୁ ଫେରିଥିଲେ। ସେମାନଙ୍କ ବୟସ ୩୮ ଓ ୪୫ ବର୍ଷ। ପୂର୍ବରୁ ମଧ୍ୟରେ ଗ଼ଜାମ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲାକୁ କରୋନା ଛୁଇଁଛି । ପ୍ରଥମ ଥର ପାଇଁ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବଡିଭିଜନ ଅନ୍ତର୍ଗତ ଲୁହାପଙ୍କ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଥିବା ଜଣାପଡିଛି। ରେଢ଼ାଖୋଲ ସବଡିଭିଜନ ଅନ୍ତର୍ଗତ ତ୍ରିବଣପୁର ପଂଚାୟତ ଖଣ୍ଡାମ ଗ୍ରାମର ବୋଲି ସୂଚନା ମିଳିଛି । ଯୁବକ ଜଣକ ନିକଟରେ ଅହମଦାବାଦରୁ ଫେରିଥିବା ଟ୍ରାଭେଲ ହିଷ୍ଟ୍ରି ରୁ ଜଣାପଡିଛି । ଅହମଦାବାଦରୁ ବସ ଭଡା କରି ପାଖାପାଖି ୨୦ ଜଣ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ନମୂନା ପରୀକ୍ଷଣ ପରେ ଏମାନଙ୍କ ମଧ୍ୟରୁ ଜଣେ ପଜିଟିଭ୍ ଥିବା ଜଣାପଡିଛି ।
କହିରଖିବା ଉଚିତ ହେବକି ବର୍ତ୍ତମାନ ରାଜ୍ୟରେ ୬୨୭ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଦିନକରେ ପାଞ୍ଚହଜାର ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ଏଯାବତ ୯୧ ହଜାରରୁ ଅଧିକ ସଂଖ୍ୟାରେ ଟେଷ୍ଟ ହୋଇସାରିଲାଣି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ପଜିଟିଭ୍ ସଂଖ୍ୟା ୨୯୨ରେ ପହଞ୍ଚିଛି । ସେହିପରି ଯାଜପୁରରେ ମୋଟ୍ ୧୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ହୋଇଛି । ଭଦ୍ରକ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୭୪ ଛୁଇଁଛି । ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୨୮ ଜଣଙ୍କ ମଧ୍ୟରୁ ୧୭ ଗୁଜରାଟ, ୮ ଜଣ କୋଲକାତା, ତେଲେଙ୍ଗାନାରୁ ଜଣେ ଓ ମହାରାଷ୍ଟ୍ରରୁ ୨ ଜଣ ଫେରିଥିଲେ । ସେହିପରି କଟକରେ ସଂକ୍ରମିତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ୫୯, ପୁରୀରେ ୨୫, କେନ୍ଦ୍ରାପଡ଼ା ୨୭ ଓ ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହୋଇଛି ।