ଫନି ପରେ ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯ % ବ୍ୟାଙ୍କ କାର୍ଯ୍ୟକ୍ଷମ

ବାତ୍ୟା ପରେ ପୁରୀକୁ ଛାଡ଼ି ପ୍ରଭାବିତ ଅନ୍ୟ ସ୍ଥାନରେ ୯୯ ପ୍ରତିଶତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଲାଣି। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାଙ୍କ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀରେ ସାମାନ୍ୟ ସମସ୍ୟା ରହିଛି। ବ୍ୟାଙ୍କଗୁଡ଼ିକ ଅଫଲାଇନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟରେ ଫନି ପରବର୍ତ୍ତୀ ବ୍ୟାଙ୍କିଂ ସେବାର ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା। ତାଙ୍କ ସହ ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା, ଆର୍‌ବିଆଇ, ବୀମା କଂପାନୀ, ଟେଲିକମ କଂପାନୀ ଓ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା ଓ ଏଟିଏମଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ବାତ୍ୟା ପରେ ପୁରୀ ଓ ଖୋର୍ଦ୍ଧାରେ ବ୍ୟାଙ୍କ ସେବା ବିଶେଷ ପ୍ରଭାବିତ ହୋଇଥିଲା। କ୍ଷୟକ୍ଷତିର ତୁରନ୍ତ ଭରଣା କରିବା ପାଇଁ ବୀମା କଂପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀରେ ୨୭ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ୪୦ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା। ସେହିପରି ରାଜ୍ୟରେ କେରଳ ମଡେଲ୍‌ ଲାଗୁ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.