କିଟ୍‌ ପକ୍ଷରୁ ନିର୍ମାଣ କଣ୍ଟାମାଳର ରଙ୍ଗପାଲିଠାରେ ହେବ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍‌, ହେଲା ଭୂମିପୂଜନ

କଣ୍ଟାମାଳ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳର ରଙ୍ଗପାଲିଠାରେ କିଟ୍‌ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍‌ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ସ୍ଥାନୀୟ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀ ଓ କିଟ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ସାମନ୍ତ ସୂଚନା ଦେଇ କହିଲେ, ଗତ ୩୦ ବର୍ଷ ଧରି କିଟ୍‌ ଓ କିସ୍‌ ନିରନ୍ତର ସମାଜ ସେବା କାର୍ଯ୍ୟ ଜାରି ରଖିଛି।

ସାଂସଦ ଭାବରେ ମୁଁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳର ବିକାଶ ନିମନ୍ତେ ଗତ ୪ବର୍ଷ ଧରି ଅନେକ ପ୍ରକାର ଉନ୍ନୟନ ପ୍ରକଳ୍ପ ଲାଗି ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଛି। ସାଂସଦ ଭାବେ ନିର୍ବାଚିତ ହୋଇ ଆସିବା ପରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନ ଉପରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟିତ ବୋଲି ସେ କହିଥିଲେ। ଡ. ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ କିଟ୍‌ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି ବୋଲି ଡ. ସାମନ୍ତ କହିବା ସହ ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ପୂର୍ବରୁ କନ୍ଧମାଳ ଜିଲ୍ଲା ବଇଡ଼ା ଓ ମହାସିଙ୍ଗିଠାରେ ଡ. ସାମନ୍ତ ଦୁଇଟି ୨ଶହ ଶଯ୍ୟ ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍‌ ଓ ଦିବାଧ୍ୟାୟୀ ବିଦ୍ୟାଳୟ ଆରମ୍ଭ ହେବା ପାଇଁ ଭୂମିପୂଜନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.