ପହଣ୍ଡି ଅଘଟଣର ତର୍ଜମା କରିବ ୩ ଜଣିଆ କମିଟି, ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବ

ପୁରୀ : ପହଣ୍ଡି ଅଘଟଣର ତର୍ଜମା କରିବ ୩ ଜଣିଆ କମିଟି । ଚାରମାଳରେ ବଡ଼ ଠାକୁର ଖସି ପଡ଼ିବା ଘଟଣା ସହ ଗୁଣ୍ଡିଚା ପହଣ୍ଡି ଓ ରଥଟଣା ସମୟରେ କଣ ସବୁ ହୋଇଥିଲା ସେବୁର ମଧ୍ୟ ତର୍ଜମା କରିବ କମିଟି । ଘଟଣାର ଭିଡିଓ ଫୁଟେଜ ଦେଖାଯିବ । ଯେଉଁମାନଙ୍କୁ ପହଣ୍ଡି ଦାୟିତ୍ବ ଦିଆଯାଇଥିଲା ସେମାନେ ଅଘଟଣ ବେଳେ ରଥରେ ଥିଲେ ନା ନାହିଁ ତାର ଅନୁଧ୍ୟାନ ହେବ ।
ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବ କମିଟି । ୩ ଜଣିଆ କମିଟିରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନର ଡେପୁଟି ସୁପରିଟେଡଣ୍ଟ ଓ ରାଜସ୍ୱ ପ୍ରଶାସକ ରହିବେ । ପୁରୀରେ ପହଣ୍ଡି ଅଘଟଣକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି ଏଭଳି ଦୃଶ୍ୟ କେବେ ଦେଖି ନଥିଲୁ । ଏଥିରେ ସାରା ବିଶ୍ବର ଜଗନ୍ନାଥ ପ୍ରେମୀ ମର୍ମାହତ ଓ ଦୁଃଖିତ ।
ଏହା କେମିତି ହେଲା ଏବଂ କାହିଁକି ହେଲା, ପ୍ରଶାସନ ପକ୍ଷରୁ ଭଲ ଭାବରେ ଏହାର ଯାଞ୍ଚ ହେବ । ଆଗାମୀ ଦିନରେ ଯେପରି ଏଭଳି ଅଘଟଣ ନଘଟେ ସେଥିପାଇଁ ପ୍ରଶାସନ ଏବଂ ସେବାୟତମାନେ ଉପଯୁକ୍ତ ପଦକ୍ଷେପ ନେବେ । ଯେଉଁ ଅଘଟଣ ଘଟିଲା, ସେଥିରୁ ସେବକମାନେ ଯାହା ଶିଖିବା କଥା ଶିଖି ଯାଇଛନ୍ତି । ଏହା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସେମାନେ ଯତ୍ନବାନ ହେବେ ।
ପହଣ୍ଡି ବେଳେ ଅଧିକ ସଂଖ୍ୟକ ସେବକ ଏବଂ ରଥ ଉପରେ ଅଧିକ ସଂଖ୍ୟକ ସେବକ ରହିବା ନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଗଜପତି । ନୀଳାଦ୍ରି ବିଜେ ପରେ ପରେ ପରିଚଳାନା କମିଟି ସେ ବିଷୟରେ ଆଲୋଚନା କରି ଆଗାମୀ ରଥଯାତ୍ରାରେ ଯେପରି ଏଭଳି ଅଘଟଣ ନଘଟେ ସେ ନେଇ ନିଷ୍ପତ୍ତି ନେବେ ।
ଗତକାଲି ଆଡ଼ପ ପହଣ୍ଡି ବେଳେ ଚାରମାଳରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର । ଅଘଟଣରେ ୭ ଜଣ ସେବକ ମଧ୍ୟ ଆହତ ହୋଇଥିଲେ । ବଡ଼ ଠାକୁର ପଡ଼ିଯିବା ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି । ଭକ୍ତଙ୍କ ମଧ୍ୟରେ ଭୟ ଓ ଆଶଂକା ସୃଷ୍ଟି ହୋଇଛି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।