ଭାଦ୍ରବ ମାସରେ ମୁଣ୍ଡଫଟା ଖରା, ବାଟୋଇଙ୍କୁ ଖରା ଦାଉରୁ ଆଶ୍ୱସ୍ତି ଦେଉଛି ୫୦୦ ବର୍ଷ ତଳର ଶ୍ୱେତ ବଟବୃକ୍ଷ

ସୃଷ୍ଟିର ରଚୟିତାଙ୍କ ସୁନ୍ଦର ପରିକଳ୍ପନା ହେଉଛି ଆମ ପୃଥିବୀ । ସ୍ରଷ୍ଟାଙ୍କ ପରିକଳ୍ପନା ଏବଂ ପ୍ରକୃତି ରାଣୀର ପରଶ ଛୁଆଁରେ ସପ୍ତରଙ୍ଗୀ ରଙ୍ଗର ପସରା ସତେ ଅବା ଆଙ୍କିଦେଇଛି ଏକ ଅଭିନବ ସୃଜନଶୀଳତା । ସେଇଥିପାଇଁ ତ ଏହି ପୃଥିବୀକୁ ବାରମ୍ବାର ଅବତାର ନେଇ ଚାଲି ଆସନ୍ତି ସେହି ଅବତାରୀ ପୁରୁଷ ରାମ, କୃଷ୍ଣ ,ବଳରାମ, ବୁଦ୍ଧ, ପର୍ଶୁରାମ ରୂପରେ । ବିଜ୍ଞାନ କୁହେ ସବୁଠାରୁ ସୁନ୍ଦର ଆମ ପୃଥିବୀ ଗ୍ରହ । ସୌରମଣ୍ଡଳରେ ଅନେକ ଗ୍ରହ ରହିଥିବା ବେଳେ କେବଳ ପୃଥିବୀ ଏକ ମାତ୍ର ଗ୍ରହ ଯେଉଁଠାରେ ଜୀବଜଗତ ଦେଖିବାକୁ ମିଳିଥାଏ ।

ଏଠାରେ ପ୍ରକୃତି ଅଜାଡି ଦେଇଛି ରଙ୍ଗ ବେରଙ୍ଗର ଫୁଲ, ଫଳ, ଗଛ ଲତା, ପାହାଡ ଝରଣା, ନଦୀ ସମୁଦ୍ର ସହିତ ବିଶାଳ ଜୀବଜଗତ । ଏଠାରେ ବାର ମାସରେ ଅନୁଭୂତ ହୁଏ ଛଅ ଋତୁର ବାସ୍ନା । ଏଠି ଆକାଶରେ ମେଘ ଆସିଲେ ମୟୁର ପାଦରେ ଭରିଯାଏ ଛାନ୍ଦର ଚାତୁରୀ । ବସନ୍ତ ପରଶରେ କୋଇଲିର କଣ୍ଠରୁ ବାହାରେ ସାତସୁରରେ ସଙ୍ଗୀତ । ଶ୍ରାବଣ ଆସିଲେ ଓଦା ମାଟିରୁ ବାହାରେ ବାସ୍ନା ଆଉ ଶୀତ ନେଇଆସେ ଘାସ ଗାଲିଚା ଉପରେ ଶିଶିର ଟୋପାର ମୋତିର ପସରା । ଜଗତ ଜନନୀ ମା’ଙ୍କ ଧରାବତରଣ ପାଇଁ ଆଶ୍ୱିନ ମାସରେ ସଜେଇ ହୁଏ କାଶତଣ୍ଡି ।

ଡହ ଡହ ଗ୍ରୀଷ୍ମରେ ବି ଏଠି ଝଲମଲ ହୁଏ କୃଷ୍ଣଚୂଡାର ସୌନ୍ଦର୍ଯ୍ୟ । ପୁନେଇ ରାତିରେ ବାଦଲ ସହିତ ତୋଫା ଜହ୍ନର ଲୁଚକାଳି ଖେଳ ଦେଖି ଅଭିମାନ କରେ ଗାଁ ପୋଖରୀର କଇଁ । ସ୍ରଷ୍ଟାଙ୍କ ଅନୁପମାର ସୃଜନ କବିର କବିତାରେ ସୃଷ୍ଟି କରେ କେତେଯେ ଶବ୍ଦର ଉପମା, ଯାହା କବିକୁ କରେ କାଳଜୟୀ । ହେଲେ ସେହି ସୁନ୍ଦର ପୃଥିବୀ ଆଜି ତାର ଅସ୍ତିତ୍ଵ ହରାଇ ଚାଲିଛି, ସ୍ରଷ୍ଟାଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ପାଇଁ । ଆଉ ଆଗ ଭଳି ବସନ୍ତର ଆଗମନ ହେଉନାହିଁ କି ଆମ୍ବ ବନର ଡାଳରୁ କୋଇଲି ଗାଉନାହିଁ ସୁମଧୁର ଗୀତ, ସେହିଭଳି ଶ୍ରାବଣର ଧାରା ଛୁଇଁ ବାହାରୁନି ସେହି ମାଟିର ବାସ୍ନା ।

ଶୀତ ଆସୁଛି ହେଲେ ଗାଁ ପଡିଆରେ ଦେଖିବାକୁ ମିଳୁନି ଘାସ ଗାଲିଚାର ବିସ୍ତୀର୍ଣ୍ଣ ଆସ୍ତରଣ କି ଦେଖିବାକୁ ମିଳୁନି ଶିଶିର ଟୋପାର ବିନ୍ଦୁ ବିନ୍ଦୁ ସ୍ପର୍ଶ । ପୃଥିବୀ ଆଜି ମନୁଷ୍ୟକୃତ ପ୍ରଦୂଷଣ ପାଇଁ ତାର ସୌନ୍ଦର୍ଯ୍ୟ ହରାଇ ଚାଲିଛି । ଯାହାର କୁପରିଣାମ ଯୋଗୁଁ ଋତୁଚକ୍ରରେ ଦେଖାଦେଇଛି ବିଘଟନ । ବର୍ଷା ଦିନରେ ବର୍ଷାର ଅନିମିୟତା, ଶୀତଦିନେ ତାପମାତ୍ରାର ଆହେତୁକ ବୃଦ୍ଧି ଏବଂ ଗ୍ରୀଷ୍ମ ଦିନରେ ପ୍ରଚଣ୍ଡ ରୌଦ୍ରତାପ ଜୀବ ଜଗତକୁ ଅସ୍ତ ବ୍ୟସ୍ତ କରିଦେଉଛି । ବୈଷୟିକ ବିକାଶ ଆଳରେ ପ୍ରକୃତିକୁ ନଷ୍ଟକରି ଚାଲିଛି ମଣିଷ । ଯାହାର କୁପରିମାଣ ପୁଥିବୀକୁ ବିନାଶ ଆଡକୁ ନେଇଯାଉଛି ।

ପରିବେଶ ପ୍ରଦୂଷଣର ବିକଳ ଚିତ୍ର ପୃଥିବୀର ଋତୁଚକ୍ରକୁ ପ୍ରଭାବିତ କରିଚାଲିଛି । ଯେଉଁଥିପାଇଁ ଦିନକୁ ଦିନ ବଢିଚାଲିଛି ତାପମାତ୍ରା । ପୃଥିବୀ ପାଲଟି ଯାଇଛି ତତଲା କଡ଼ାଇ । ବର୍ଷା ଦିନେ ଆଉ ଦେଖିବାକୁ ମିଳୁନି ଧାରା ଶ୍ରାବଣର ଲଗାଣ ବର୍ଷା, ଯାହାଦ୍ୱାରା ପ୍ରଭାବିତ ହେଉଛି ଚାଷ । ସେହିଭଳି ଶୀତର ଅନୁଭୂତି ମଧ୍ୟ କମିବାରେ ଲାଗିଛି, ଖରାଦିନେ ଅସହ୍ୟ ରୌଦ୍ରତାପରେ ତ୍ରାହି ତ୍ରାହି ଡାକୁଛି ଜୀବଜଗତ । ଦିନକୁ ଦିନ ଶହଶହ ଗଛକଟା ଚାଲିଛି, ତା ସହିତ ଦ୍ରୁତଭାବରେ କଳକାରଖାନାର ବ୍ୟବହାର ବଢିଚାଲିଛି ।

ଏହାଦ୍ୱାରା ପରିବେଶ ପ୍ରଦୂଷଣ ହୋଇ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ମାତ୍ରା ବଢିଚାଲିଛି । ଯାହା ମଣିଷ ସମାଜ ଏବଂ ଜୀବଜଗତ ପାଇଁ ବିନାଶର ସତର୍କ ଘଣ୍ଟି ଭାବେ ପ୍ରତିପାଦିତ ହୋଇଛି । ଏବେ ଭାଦ୍ରବ ମାସ ଚାଲିଥିବା ବେଳେ ବର୍ଷାରେ ବାୟୁମଣ୍ଡଳ ଶୀତଳତା ପ୍ରଦାନ କରିବା କଥା କିନ୍ତୁ ଭାଦ୍ରବ ମାସରେ ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜୀବଜଗତକୁ ଅସ୍ତ ବ୍ୟସ୍ତ କରୁଛି । ଦିନ ୧୧ ଟା ବାଜିଲେ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି । ପ୍ରଚଣ୍ଡ ଖରାର ପ୍ରଭାବରେ ଚାଷ କ୍ଷେତରେ ଚାଷୀ ଭାଇ ଆଉ ଚାଷ କାମ କରିପାରୁନି ।

କ୍ଷେତରୁ ଆସି ରାସ୍ତା କଡ଼ ଗଛ ମୂଳେ ଥକା ମେଣ୍ଟାଉଛି । ଠିକ ଏହି ସମୟରେ ଆମ ନଜରକୁ ଆସିଥିଲା ଏକ ବଟବୃକ୍ଷ । ଭାଦ୍ରବର ନିଘାତ ଖରା ଦାଉରୁ କିଭଳି ମଣିଷ ସହିତ ଜୀବ ଜନ୍ତୁଙ୍କୁ ସାହାରା ଦେଉଛି ଏହି ବଟବୃକ୍ଷ । ଏହି ବଟବୃକ୍ଷ ରହିଛି ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ସୀମାବର୍ତୀ ଅଞ୍ଚଳ ଗାରୋହୀ ଠାରେ । ବଟବୃକ୍ଷଟିର ବୟଶ ପ୍ରାୟ ୫୦୦ ବର୍ଷରୁ ଅଧିକ ହେବ ବୋଲି ଜାଣିବାକୁ ପାଇଲୁ । ଏହି ବଟ ବୃକ୍ଷ ସହିତ ରହିଛି ଏକ ଐତିହାସିକ ସାମଞ୍ଜସ୍ୟ, ପଞ୍ଚସଖା ଯୁଗର ସନ୍ଥ ମାଳିକା ରଚୟିତା ଅଚ୍ୟୁତାନନ୍ଦ ଦାସ ଜଗନ୍ନାଥ ଦର୍ଶନ ପାଇଁ ଏହି ରାସ୍ତାରେ ଯିବା ସମୟରେ ଏହି ବଟବୃକ୍ଷ ନିକଟରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ ।

ଅଚ୍ୟୁତାନନ୍ଦ ଦାସଙ୍କ ବିଶ୍ରାମ ନେଇଥିବାର କଥା ଏଠାରେ ପ୍ରଚଳିତ ହୋଇଥିବାରୁ ଏହି ବଟବୃକ୍ଷ ମୂଳରେ ଏକ ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ସ୍ଥାପନ କରାଯାଇ ପୂଜାର୍ଚନ କରାଯାଉଛି । ଏହି ବୃକ୍ଷରେ ମଧ୍ୟ ସ୍ୱତନ୍ତ୍ର ଲକ୍ଷଣ ମାନ ଦେଖିବାକୁ ମିଳିଥାଏ । ଅନ୍ୟ ବରଗଛ ମାନଙ୍କରେ ଫଳର ରଙ୍ଗ ଲାଲ ହୋଇଥିବା ବେଳେ ଏହି ବଟବୃକ୍ଷର ଫଳ ଧଳା ରଙ୍ଗର । ଏହାର ଡାଳ ଗୁଡିକ ଊର୍ଦ୍ଧମୂଖ ହେବା ପ୍ରତିବଦଳରେ ନିମ୍ନ ଆଡକୁ ଆସୁଛି । ଯାହା ଛାୟା ପ୍ରଦାନ କରିବା ସହିତ ମଣିଷ ସହିତ ପଶୁ ଜୀବମାନଙ୍କୁ ପ୍ରଚଣ୍ଡ ଖରାରୁ ଆଶ୍ରୟ ଦେଉଛି । ଦିନକୁ ଦିନ ପରିବେଶରୁ ପୁରୁଣା ବୃକ୍ଷରାଜି ହଜିଯାଉଥିବା ବେଳେ ଗାରୋହୀ ନିକଟରେ ରହିଥିବା ଏହି ଶତାୟୁ ବଟବୃକ୍ଷ ଜୀବଜଗତ ପାଇଁ ବଞ୍ଚିବାର ସାହାରା ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like