ଯାଜପୁର : ଦୁର୍ଘଟଣା ପରେ ଉତ୍ତେଜନା । ଅଜଣା ଗାଡ଼ି ଧକ୍କାରେ ୭ବର୍ଷ ଶିଶୁ ପୁତ୍ର ମୃତ୍ୟୁକୁ କେନ୍ଦ୍ର କରି ରାସ୍ତାରୋକ । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଛିଡା ହୋଇଥିବାବେଳେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଘଟଣା ସ୍ଥଳରେ ହମ୍ପସ ନିର୍ମାଣ ଦାବିରେ ଉତ୍ୟକ୍ତ ଲୋକେ ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
ସେହିପରି ଗତକାଲି ମୟୁରଭଞ୍ଜ ଜିଲ୍ଲା ସୀମାରେ ଥିବା ରରୁଆ ବ୍ଲକ ଅନ୍ତର୍ଗତ ଅଙ୍ଗାର ପଦା ନିକଟରେ ବାଇକ ଏବଂ କାର ମୁହାଁ ମୁହିଁ ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ଆହତଙ୍କୁ ପ୍ରଥମେ ରରୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ । ଚମ୍ପୁଆ ଏବଂ ରରୁଆ ରାସ୍ତା ଅବରୋଧ ଯୋଗୁ ବହୁ ଗାଡି ଅଟକି ରହିଥିଲା ।