ଜନ୍ମରୁ ସେ ଦୃଷ୍ଟିହୀନ, ହେଲେ ପ୍ରତି ନିର୍ବାଚନରେ ହ୍ୱିଲଚେୟାରରେ ବସି ଚାଲିଆସନ୍ତି ଭୋଟ ଦେବାକୁ

ଜନ୍ମରୁ ସେ ଦୃଷ୍ଟିହୀନ । ଆଖିକୁ କିଛି ବି ଦେଖାଯାଏ ନାହିଁ । କିନ୍ତୁ ସେ ଧାଇଁ ଆସିଛନ୍ତି ନିଜର ମତ ସାବ୍ୟସ୍ତ କରିବାକୁ । ଭାରତୀୟ ନାଗରିକ ଭାବେ ସେ ଭାରି ଗର୍ବିତ ।

ବିନିକା(କେନ୍ୟୁଜ): ଜନ୍ମରୁ ସେ ଦୃଷ୍ଟିହୀନ । ଆଖିକୁ କିଛି ବି ଦେଖାଯାଏ ନାହିଁ । କିନ୍ତୁ ସେ ଧାଇଁ ଆସିଛନ୍ତି ନିଜର ମତ ସାବ୍ୟସ୍ତ କରିବାକୁ । ଭାରତୀୟ ନାଗରିକ ଭାବେ ସେ ଭାରି ଗର୍ବିତ । ଆଉ ସେ ବୁଝି ସାରିଛନ୍ତି ଯେ ଭୋଟ ଦେବା, ନେତା ବଛିବା ତାଙ୍କର ଅଧିକାର । ତେଣୁ ନିର୍ବାଚନ ଆସିବା ମାତ୍ରକେ ତାଙ୍କର ଉତ୍କଣ୍ଠା କହିଲେ ନସରେ । ଗାଁ ପିଲାଙ୍କୁ କହି ବୋଲି ସେ ପ୍ରତି ନିର୍ବାଚନରେ ହ୍ୱିଲଚେୟାରରେ ବସି ଭୋଟ ଦେବାକୁ ବୁଥ୍ କୁ ଚାଲି ଆସିଥାନ୍ତି । ଆଉ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛନ୍ତି । ତାଙ୍କ ସହିତ ଯାଇଥିବା ପିଲା ଜଣଙ୍କ ସେ ଯେଉଁ ଚିହ୍ନରେ ଭୋଟ ଦେବାକୁ କୁହନ୍ତି ସେ ସେଥିରେ ଭୋଟ ଦେଇଥାନ୍ତି ।

ତେବେ ଆଜି ରାଜ୍ୟରେ ଚଳିତ ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ସକାଳ ସାଢ଼େ ୫ଟାରୁ ମକ୍ ଭୋଟିଂ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ସ୍ଥାନରେ ଭିଭିପାଟ ଖରାପ ଥିବା ଜଣାପଡ଼ିବା ପରେ ସେସବୁକୁ ବଦଳା ଯାଇଥିବା ସୂଚନା ଦେଇଥିଲେ ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ଏନ୍. ତିରୁମାଲା ନାୟକ । ବର୍ତ୍ତମାନ ୫ଟି ଲୋକସଭା କ୍ଷେତ୍ରର ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ । ୯୧୬୨ ବୁଥ୍ ରେ ଭୋଟ୍ ଗ୍ରହଣ ସୁରୁଖୁରୁରେ ଆରମ୍ଭ ହୋଇଛି ।

ତେବେ ଓଡ଼ିଶାର ପାଞ୍ଚଟି ଲୋକସଭା କ୍ଷେତ୍ରରେ ଚାଲିଥିବା ମତଦାନ ଭିତରୁ ଏହି ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ବିନିକା ବ୍ଲକର ୧୯ନମ୍ବର ବୁଥ୍ ସିନ୍ଦୂରପୁରରୁ । ଏଠାରେ ମଧ୍ୟ ଚାଲିଛି ମତଦାନ । ତେବେ ଏଠାରେ ଏହି ଦୃଷ୍ଟିହୀନ ଭୋଟରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅନେକ ସ୍ଥାନରେ ଶିକ୍ଷିତ ମହିଳା, ପୁରୁଷ ତଥା ଯୁବଗୋଷ୍ଠୀ ଭୋଟ ଦେବାକୁ ଜରୁରୀ ଭାବୁନଥିବାବେଳେ, ଏହି ଦୃଷ୍ଟିହୀନ ଜଣଙ୍କ କିନ୍ତୁ ଅନ୍ୟର ସହାୟତାରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଯାହା ଏ ସମାଜକୁ ନିଶ୍ଚିତ ଭାବେ ଏକ ଶିକ୍ଷଣୀୟ ବାର୍ତ୍ତା ଦେବ ।

Leave A Reply

Your email address will not be published.