ନିଜର ନାହିଁ ଦୃଷ୍ଟି ଶକ୍ତି କିନ୍ତୁ ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ଉଜ୍ବଳ ଭବିଷ୍ବତର ବାଟ, ପାଠ ସହ ମୃଦଙ୍ଗ ବାଦନ ପାଇଁ ପ୍ରସିଦ୍ଧ ଗୋଲଖ ସାର୍

ଆଳି (କେନ୍ୟୁଜ୍):  ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି । ହେଲେ ଅନ୍ୟକୁ ଦେଖାଉଛନ୍ତି ଆଲୋକ ମାର୍ଗ । କେନ୍ଦ୍ରାପଡ଼ା ଆଳି ବ୍ଲକ୍‌ ସାହୁପଡ଼ାର ଗୋଲେଖ ବିହାରୀ ମହାନ୍ତି । ପେଶାରେ ଜଣେ ଶିକ୍ଷକ । ସାହୁପଡ଼ା ସରକାରୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ । ଦୃଷ୍ଟି ଶକ୍ତି ନଥିବା ସତ୍ତ୍ୱେ ପିଲାଙ୍କୁ ବେଶ୍‌ ସହଜରେ ପାଠ ପଢ଼ାଉଛନ୍ତି । ଆଉ ପିଲା ମଧ୍ୟ ସାରଙ୍କ ପାଠକୁ ସହଜରେ ବୁଝି ପାରୁଛନ୍ତି । ଦିନରେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ା, ଆଉ ସଂଧ୍ୟାରେ ଗାଁ ଠାକୁରାଣୀ ମନ୍ଦିରରେ ଗୀତ ଗାଇ ମୃଦଙ୍ଗ ବଜାଇବା । ବହୁମୁଖୀ ପ୍ରତିଭାର ଅଧିକାରୀ ଗୋଲେଖଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ।

କଥାରେ ଅଛି ଯାହା ନଦେଖିବ ବେନି ନୟନେ, ପରତେ ନଯିବ ଗୁରୁ ବଚନେ । କିନ୍ତୁ ସେ ଭୁଲ ପ୍ରମାଣିତ କରନ୍ତି ଏଇ ଉକ୍ତିକୁ । ତାଙ୍କ ମତରେ ଦୃଷ୍ଟି ଶକ୍ତି ନୁହେଁ, ଅନୁଭବ ହିଁ ସବୁଠାରୁ ବଡ଼ । ସେ ଜନ୍ମରୁ ଦେଖି ପାରନ୍ତି ନାହିଁ । ହେଲେ ସବୁ ବାଧାକୁ ଏଡ଼ାଇ ପାଠ ପଢ଼ିଲେ । ଆଉ ପିଲାଙ୍କୁ ପଢ଼ାଉଛନ୍ତି ମଧ୍ୟ । ସାହୁପଡ଼ା ସ୍କୁଲରେ ଜଣେ ଭଲ ଶିକ୍ଷକ ଭାବେ ବେଶ୍‌ ଖ୍ୟାତି ଅଛି ତାଙ୍କର ।
ଖାଲି ଏତିକି ନୁହେଁ ଜଣେ ଭଲ ଭଜନ ଗାୟକ ଏବଂ ମୃଦଙ୍ଗ ବାଦକ ମଧ୍ୟ । ଗାଁରେ ଥିବା କୀର୍ତ୍ତନ ଦଳର ନେତୃତ୍ୱ ନିଅନ୍ତି । ପ୍ରତି ସନ୍ଧ୍ୟାରେ ଗାଁ ଠାକୁରାଣୀଙ୍କ ନିକଟରେ ତାଙ୍କ କଣ୍ଠରୁ ଝରି ଆସେ ସୁମଧୁର ଭଜନ ସବୁ ।

ପୁଣି ସ୍ମାର୍ଟ ଫୋନ୍‌କୁ ଠିକ୍‌ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରନ୍ତି । ଅନୁଭବ ଏବଂ ଘ୍ରାଣଶକ୍ତି ଜରିଆରେ ସେ ନିଜର ସବୁ କାମକୁ ସହଜ କରି ଦେଇଛନ୍ତି । ଖଣ୍ଡିଏ ଆଶାବାଡ଼ି ଓ ନିଜ ପରିବାର ହେଉଛି ତାଙ୍କର ସବୁ କିଛି । ନିଜର ଅମାୟିକ ବ୍ୟବହାର ଏବଂ ଅସାଧାରଣ ପ୍ରତିଭା ଯୋଗୁଁ ସମସ୍ତଙ୍କର ପ୍ରିୟ ଗୋଲକ ସାର୍‌ । ଆଖି ନଥିଲେ ଯେ ଜୀଇବା କଷ୍ଟକର ନୁହେଁ, ଏକଥା ପ୍ରମାଣିତ କରିଛନ୍ତି ସେ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ସାହୁପଡ଼ା ଗାଁରୁ ନିରଞ୍ଜନ ବେହେରା, କେ ନ୍ୟୁଜ୍‌ ଓଡ଼ିଶା