କଣ୍ଟାମାଳ: ପୁଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ଯେଉଁ ବୟସରେ ପାଠ ପଢ଼ିବା କଥା ସେଇ ବୟସରେ ଅଜଣା ରୋଗର ଶିକାର ହୋଇଛି ପୁଅ । ବିଭିନ୍ନ ଆଡ଼ୁ ଚିକିତ୍ସା କରିଥିଲେ ମଧ୍ୟ ରୋଗ ଭଲ ହେଉନାହିଁ । ପୁଅର ଚିକିତ୍ସା କରି ପୁରା ପରିବାର ଏବେ ସର୍ବସ୍ୱାନ୍ତ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସାହୁପଡ଼ା ଗାଁର ଷଣ୍ଡେଶ୍ୱର ବିଶି । ବୟସ ୨୨ ବର୍ଷ । ଜନ୍ମରୁ ଠିକ ଠାକ ଥିଲା ହେଲେ ହଠାତ୍ କ’ଣ ହେଲା କେଜାଣି କୌଣସି ଅଜଣା ରୋଗର ଶିକାର ହେଲା ଷଣ୍ଡେଶ୍ୱର ।
ଫଳରେ ପାଠପଢାରେ ପଡ଼ିଛି ଡୋରି । ପୁଅର ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରିଥିଲେ ମଧ୍ୟ ରୋଗ ଭଲ ହେଉନାହିଁ । ଭଲ ହେବା ତ ଦୂର କଥା ଦିନକୁ ଦିନ ରୋଗ ଆହୁରି ବଢ଼ି ବଢ଼ି ଚାଲିଛି । ଚିକିତ୍ସା ପାଈ ପ୍ରତିମାସ ଚାରି ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଫଳରେ ଅନେକ ସମୟରେ ଅର୍ଥାଭାବ ଦେଖାଦେଉଛି । ରୋଗ ଯୋଗୁଁ ହାଡ ଗୋଡ଼ ବଙ୍କା ହୋଇଯାଉଛି । ଭଲ କରି କଥା କହିପାରୁନାହିଁ କି ଚାଲିବୁଲି ପାରୁନାହିଁ । ଖଟରେ ଶଯ୍ୟାଶାୟୀ ହୋଇ ପଡ଼ିରହିଛି ।
ଯେଉଁ ବୟସରେ ପୁଅ ପାଠ ପଢି ବାପା ମାଙ୍କ ସେବା କରିବା କଥା ସେଇ ବୟସରେ ପୁଅର ସେବା ଯତ୍ନ କରୁଛନ୍ତି ବାପା ମା । ପୁଅର ଚିକିତ୍ସା ବାବଦରେ ସବୁ ଜମି ବାଡ଼ି ବିକି ଦେବା ସହ ଏବେ ପୁରା ପରିବାର ସର୍ବସ୍ୱାନ୍ତ ହୋଇଯାଇଛି । ପୁଅର ସେବାରେ ମା’ ସବୁବେଳେ ରହୁଥିବା ବେଳେ କୁଆଡେ କାମ ଧନ୍ଦା କରିବାକୁ ମଧ୍ୟ ଯାଇପାରୁନାହାନ୍ତି । ଅନେକ ସମୟରେ ଘରେ ଚୁଲି ମଧ୍ୟ ଜଳୁନାହି । ପୁଅଟିଏ ପାଇବାକୁ ବାପା ମା ଅନେକ ତପସ୍ୟା କରିଥାନ୍ତି । ହେଲେ ସେଇ ପୁଅ ଆଜି ବାପା ମାଙ୍କ ପାଇଁ ପାଲଟିଛି ଦୁଃଖର କାରଣ ।
ତଥାପି ଦୁଃଖକୁ ଆଦରି ପୁଅର ସେବା ଯତ୍ନ କରୁଛନ୍ତି । ବିଭିନ୍ନ ଆଡୁ ଚିକିତ୍ସା କରି ରୋଗ ଭଲ ନ ହେବା ପରେ ଏବେ ନିରାଶ ହୋଇପଡିଛନ୍ତି ଘରଲୋକେ l ହାତରେ ଆଉ ପଇସା ମଧ୍ୟ ନାହିଁ ଚିକିତ୍ସା କରିବାକୁ । ବାପା ଜାତିରେ ଧୀବର ହୋଇଥିବାରୁ ମାଛ ବିକି ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ସେଥିରେ ପୁଣି ଔଷଧ ଖର୍ଚ୍ଚ । ସରକାରୀ ସହାୟତା କହିଲେ କେବଳ ଦିବ୍ୟାଙ୍ଗ ଭତ୍ତା ଆଉ ୩୫ କେଜି ଚାଉଳ ।
ଯେଉଁଥିରେ ଆଜିର ଯୁଗରେ ଚଳିବା ମୁସ୍କିଲ । ଫଳରେ ପୁରା ପରିବାର ଏବେ ବେସହାରା । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ମଧ୍ୟ ନାହିଁ । ତେଣୁ ଯଦି ସରକାରୀ କିମ୍ବା ବେସରକାରୀ ସ୍ତରରେକୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହାଁନ୍ତି ତେବେ ଏକାଉଣ୍ଟ ନମ୍ବର -32658981135, ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ, କଣ୍ଟାମାଳ, IFFC କୋଡ ନମ୍ବର -SBIN0006063 ଏହି ଠିକଣାରେ ଯୋଗାଯୋଗ କରନ୍ତୁ ।