ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ଖୋଲିବ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍‍ସ, ଓଡ଼ିଶାରେ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧରୀ

ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଛନ୍ତି।

ବୈଠକରେ ଓଡ଼ିଶାରେ ଅଧିକ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ସମ୍ପର୍କରେ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ବଜେଟରେ ଦକ୍ଷତା ବିକାଶ କ୍ଷେତ୍ରରେ 5ଟି ସେଣ୍ଟର ଅଫ୍ ଏକ୍ସେଲେନ୍‍ସର ପ୍ରାବଧାନ ରଖାଯାଇଛି। ସେଥିରୁ ଗୋଟିଏ ଓଡ଼ିଶାରେ ଖୋଲାଯିବ ବୋଲି ସେ ସୂଚନା ଦେଇଥିଲେ ।

ଏହି ବୈଠକରେ ଓଡ଼ିଶାର ଆଇ.ଟି.ଆଇ ଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ଆହୁରି ଅଧିକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ସ୍ଥାପନ, ଦକ୍ଷତା ବିକାଶ ଶିକ୍ଷାର୍ଥୀଙ୍କ ପାଇଁ Multi-language Training Centre, ଜନଜାତି ବହୁଳ ଅଞ୍ଚଳରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ପି.ଏମ୍.- ଜନମନ୍ ଯୋଜନାରେ ଆଇ.ଟି.ଆଇକୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଏ ସବୁ ପ୍ରସ୍ତାବ ଉପରେ ସକାରାତ୍ମକ ମତାମତ ଦେଇ ଖୁବ୍ ଶୀଘ୍ର ଏସବୁ ପ୍ରସ୍ତାବଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ ।