ବିଦ୍ୟୁତ୍ ଆଘାତରେ ଦମ୍ପତ୍ତି ମୃତ, ଅଳ୍ପକେ ବର୍ତ୍ତିଲା ଝିଅ

ଯୋଡ଼ା (କେନ୍ୟୁଜ): ବିଦ୍ୟୁତ୍ ଆଘାତରେ ଦମ୍ପତ୍ତି ମୃତ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ୫ ବର୍ଷର ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା, ଅଁସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁରେ । ମୃତ ଦମ୍ପତ୍ତି ହେଉଛନ୍ତି ମାନ୍ଦୁରୁ ମୁଣ୍ଡା ଓ ରାଇମଣୀ ମୁଣ୍ଡା । ତାଙ୍କର ୫ ବର୍ଷର ଝିଅ ଆରନୀ ବିଦ୍ୟୁତ୍ କରେଣ୍ଟ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୮ ଟା ସମୟରେ ଏହି ଅଘଟଣ ଘଟିଛି । ମାନ୍ଦୁରୁ ମୁଣ୍ଡା ସ୍ତ୍ରୀ ରାଇମଣୀ ମୁଣ୍ଡା ଓ ୫ ବର୍ଷର ଝିଅ ଆରନୀ ଜାମୁକୁଣ୍ଡିଆ ହାଟକୁ ଯାଇଥିଲେ। ସେଠାରୁ ମାଛ କିଣି ରାତିରେ ଘରକୁ ଫେରିଥିଲେ । ତେବେ ଘରେ ଲାଗିଥିବା ଲୁହା କବାଟ ଫିଟାଇ ଭିତରକୁ ଯିବାବେଳେ, ସେମାନଙ୍କୁ ଜୋରଦାର ବିଦ୍ୟୁତ୍ ସକ୍ ଲାଗିଥିଲା । ଉଭୟ ସ୍ବାମୀ ସ୍ତ୍ରୀ ସେହିଠାରେହିଁ ଟଳିପଡ଼ିଥିଲେ। ତେବେ ଝିଅ ଆରନୀକୁ ବିଦ୍ୟୁତ୍ ସକ୍ ଲାଗିଥିଲେବି ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲା । ତା’ର ଏକ ଗୋଡ଼ରେ ବିଦ୍ୟୁତ୍ ଆଘାତ ଲାଗିଥିବାରୁ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଯେଉଁ ଘର ଭିତରକୁ ଏମାନେ ପ୍ରବେଶ କରୁଥିଲେ ସେହି ଘରର କବାଟଟି ଲୁହ ନିର୍ମିତ କବାଟ ରହିଥିଲା । ଏହି କବାଟ ଉପର ଦେଇ ବିଦ୍ୟୁତ୍ ତାର ଘର ଭିତରକୁ ନିଆଯାଇଛି । ତେଣୁ ବିଦ୍ୟୁତ୍ ତାର ଲୁହା କବାଟରେ ଲାଗି ରହିଥିବାରୁ ସେଥିରୁହିଁ କବାଟରେ ବିଦ୍ୟୁତ୍ ଚାର୍ଜ ହୋଇଥିବା ଅନୁମାନ କରାଯାଉଛି । ତେଣୁ କବାଟ ଖୋଲିବା ସମୟରେ ଶକ୍ତ ବିଦ୍ୟୁତ୍ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି । ଯୋଡ଼ା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଗାଁରେ ଏକ ପ୍ରକାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

 

 

 

Leave A Reply

Your email address will not be published.