ଭୁବନେଶ୍ବର (କେନ୍ୟୁଜ୍) : ଦୁନିଆର ବିଭିନ୍ନ ସ୍ଥାନରେ ରହିଛି ଅନେକ ସୁନ୍ଦର ସୁନ୍ଦର ସ୍କଲପଚର ପାର୍କ । ଯେଉଁଠି ରହିଥାଏ ବିଭିନ୍ନ ପ୍ରକାରର ମୂର୍ତ୍ତି । କିଛି ସ୍ଥାନରେ ଜୀବନର ନିଚ୍ଛକ ସତ କଥା ଦେଖିବାକୁ ମିଳେ ଏଭଳି ପାର୍କରେ । ଯେମିତି ନରୱେରେ ଥିବା ଭିଜିଲାଣ୍ଡ ସ୍କଲପଚର ପାର୍କ (Vigeland sculpture park)। ଏଠାରେ ମାଆ ସନ୍ତାନର ସମ୍ପର୍କ ଠାରୁ ଆରମ୍ଭ କରି ବାପା ପୁଅକୁ ଶାସନ କରୁଥିବା ଦୃଶ୍ୟ ଦେଖିବାକୁ ମିଳେ। କେବଳ ସେତିକି ନୁହେଁ ବୃଦ୍ଧ ଅବସ୍ଥାରେ କିଏ ପ୍ରକୃତ ବନ୍ଧୁ ତାହା ମଧ୍ୟ ମୂର୍ତ୍ତି ଜରିଆରେ ଏଠାରେ ଦର୍ଶା ଯାଇଛି। ଫିନଲାଣ୍ଡ ରେ ଥିବା ପାରିକଲାନ୍ ପାର୍କ (parikkalan park)ରେ କେବଳ ପୁରୁଷଙ୍କ ଉପରେ ପଥରରେ ଅନେକ ମୂର୍ତ୍ତି ତିଆରି କରାଯାଇଛି। ସେଠିକାର ସଂସ୍କୃତି ଚାଲି ଚଳନ ଉପରେ ତିଆରି ହୋଇଛି ମୂର୍ତ୍ତି ସବୁ।
କେବଳ ଭାରତ ବାହାରେ ଯେ ସ୍କଲପଚର ପାର୍କ ରହିଛି ତାହା ନୁହେଁ। ଭାରତ ରେ ଏମିତି ଅନେକ ପାର୍କ ଲୋକଙ୍କ ମନ କିଣିଛି। କେରଳରେ ରହିଛି ସବୁଠାରୁ ଲମ୍ବା ଜଟାୟୁ ନେଚର ପାର୍କ। କୁହାଯାଏ ରାବଣ ଜଟାୟୁର ଡେଣା କାଟିବା ପରେ ଏହିଠାରେ ହିଁ ଜଟାୟୁ ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଅନେକ ସ୍କଲପଚର ପାର୍କ ଭାରତରେ ରହିଛି।
ଏବେ ଏକ୍ଷେତ୍ରରେ ଭାରତ ପୁଣି ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି। ତିଆରି ଚାଲିଛି ଦେଶରେ ପ୍ରଥମ ବର୍ଜ୍ୟବସ୍ତୁ ବା ୱେଷ୍ଟ ମ୍ୟାଟେରିଆଲ ସ୍କଲପଚର ପାର୍କ । ତାହା ପୁଣି ଓଡିଶାରେ । ଆସନ୍ତା ନଭେମ୍ବର ୨୦ ତାରିଖରେ ଏହି ପାର୍କ ସର୍ବସାଧରଣଙ୍କ ପାଇଁ ଖୋଲିବାକୁ ଯାଉଛି। ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଘଟିକିଆ ଠାରେ ରହିଛି ଏହି ପାର୍କ। ଆମେ ଫିଙ୍ଗି ଦେଉଥିବା ବିଭିନ୍ନ ସାମଗ୍ରୀକୁ ବ୍ୟବହାର କରି ଏଠାରେ ତିଆରି କରାଯାଇଛି ମୂର୍ତ୍ତି ସବୁ।
ଏହି ସବୁ ସ୍କଲପଚର ତିଆରି କରିବା ପାଇଁ ଭିନ୍ନ ଭିନ୍ନ ୧୫ଟି ଦେଶରୁ ନାମୀଦାମୀ ଶିଳ୍ପୀ ଆସିଛନ୍ତି। ତା ସହିତ ଭାରତର ବିଭିନ୍ନ ରାଜ୍ୟର ଶିଳ୍ପୀ ମଧ୍ୟ ରହିଛନ୍ତି ଯିଏକି ବିଦେଶରେ ନିଜର ଶିଳ୍ପକଳା ପାଇଁ ନାଁ କରିଛନ୍ତି। ସେମାନେ ନିଜ ନିଜ କଳ୍ପନାକୁ ରୂପ ଦେଉଛନ୍ତି ଏହି ସ୍କଲପର ପାର୍କରେ । ଯେଉଁଠି ପହଞ୍ଚିଥିଲା କେନ୍ୟୁଜ୍ । କଥା ହୋଇଥିଲା ଶିଳ୍ପୀମାନଙ୍କ ସହ । ଓଡ଼ିଶା ଆସି ସେମାନେ ବେଶ୍ ଖୁସି ଏବଂ କିଛି ନୂଆ କାରିଗରୀ କରି ଦେଖାଇବେ ବୋଲି କହିଛନ୍ତି ।