ପରମ୍ପରାକୁ ଭଲ ପାଉଥିବା ଦିବ୍ୟାଙ୍ଗ ଝିଅଟି ଘୁଷୁରି ଘୁଷୁରି ଆସି ଡଙ୍ଗା ଭସାଇଲା

ବର୍ଷକୁ ଥରେ କାର୍ତ୍ତିକ ମାସରେ ପୂର୍ଣ୍ଣମୀ ଆସିଲେ ଧର୍ମ ଅର୍ଜନ ପାଇଁ ଭିଡ଼ ଜମେଇ ଥାଆନ୍ତି ଲୋକେ l ଭୋରୁ ଭୋରୁ ହୁଳହୁଳି ଶବ୍ଦରେ ପୁରା ପରିବେଶ କମ୍ପିଉଠୁଥିବା ବେଳେ ସମସ୍ତଙ୍କ ହାତରେ ଥାଏ ଡଙ୍ଗା । ସେ କଦଳୀ ପଟୁଆର ଡଙ୍ଗା ହେଉ କି କାଗଜ କିମ୍ବା ସୋଲର ଡଙ୍ଗା ହେଉ ଧରି ବାହାରି ଯାଆନ୍ତି ନିକଟସ୍ଥ ନଦୀ କୂଳକୁ । ଖାସ୍ କରି ରାଜଧାନୀର ବିନ୍ଦୁସାଗରରେ ଅଧିକ ଗହଳି ଦେଖିବାକୁ ମିଳିଥାଏ ।

ଏବର୍ଷ ମଧ୍ୟ ସେମିତି ବିନ୍ଦୁସାଗରର ଚର୍ତୁପାର୍ଶ୍ୱରେ ଆଲୋକ ମାଳରେ ଭାରି ସୁନ୍ଦର ସଜେଇ ହୋଇଥାଏ l ଆଲୋକ ମାଳାର ପ୍ରତିବିମ୍ବ ଜଳରେ ପଡୁଥିବା ବେଳେ ଲୋକଙ୍କ ହାତରେ ଥିବା ଡ଼ଙ୍ଗୀ ଦୀପର ଝଲକାଏ ଆଲୋକ ଜଳ ରାଶିରେ ପ୍ରତିମ୍ବିତ ହୋଇ ଚିତ୍ର ସୃଷ୍ଟି କରୁଥାଏ l ଏଇ ଭିଡ଼ ଭିତରେ ବିନ୍ଦୁସାଗର କୂଳରେ କଦଳୀ ପଟୁଆ ଡ଼ଙ୍ଗୀ ଥୋଇ ଧୂପ ଦୁବ ଡଙ୍ଗା ପ୍ରସ୍ତୁତ କରୁଥାନ୍ତି l ଆଉ କେତେ ଜଣ ପୁରା ପରିବାର ଏକାଠି ଆକାଶ ଦୀପ ଉଡାଇବାକୁ ଚେଷ୍ଟା କରୁଥାନ୍ତି l

ଏସବୁ ଭିତରେ ଏମିତି ଏକ ଦୃଶ୍ୟ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଥିଲା l ଆଖି ଓଦା କଲା ଭଳି ଦୃଶ୍ୟ l ଜଣେ ମହିଳା ପାଦର ଚପଲକୁ ହାତରେ ସାହାରା କରି ଘୁଷୁରି ଘୁଷୁରି ସେହି ବିନ୍ଦୁ ସାଗର କୂଳରେ ଲାଗି ଥିବା ଭିଡ଼ ଆଡେଇ ପହଞ୍ଚିଲେ କୂଳ ଛୁଇଁଥିବା ପାଣି ନିକଟରେ l ଗୋଡ଼ ଦୁଇଟି ଯାକ ସମ୍ପୂର୍ଣ୍ଣ ଅଚଳ l ଆଣ୍ଠୁ ଆଉ ହାତ ସାହାଯ୍ୟରେ ବହୁତ କଷ୍ଟ କରନ୍ତି ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ l ସେଠାରେ ଆଗରୁ ରଖା ହୋଇଥାଏ କାଗଜ ଡ଼ଙ୍ଗୀ l ଏବଂ ତାଙ୍କ ସହିତ ଆଉ ଜଣେ ମହିଳା ସାଥ ଦେଲେ l ଉଭୟ ପ୍ରସ୍ତୁତ କଲେ ନିଜ ନିଜର ଧର୍ମ ଡ଼ଙ୍ଗା l ଆଉ ତା ଭିତରେ ଦୀପ ଧୂପ ବରକୋଳି ପତ୍ର ଥୋଇ ପାଣିରେ ଭସାଇ ଦେଇ ଟିକେ ବିନ୍ଦୁ ସାଗର ଜଳ ଛିଞ୍ଚି ହୋଇ ମୁଣ୍ଡିଆ ମାରି ବାହାରିଲେ ଯିବାକୁ l

ଯିବା ପୂର୍ବରୁ ହାତରେ ଚପଲ ରଖି ଆଣ୍ଠୁ ମାଡି ପଛକୁ ଚାହିଁ ସାଙ୍ଗରେ ଆସିଥିବା ମହିଳାଙ୍କ ଆସିବା ବାଟକୁ ଅପେକ୍ଷା କଲେ l କିଛି ସମୟ ପରେ କୂଳ ଆଉ ଲୋକ ଗହଳିଠାରୁ ଦୁରେଇ ଆସିଲେ କିଛି ବାଟ l ତାପରେ ମହିଳା ସାଙ୍ଗ ପହଞ୍ଚିବା ପରେ ଗୁରୁଣ୍ଡି ଗୁରୁଣ୍ଡି ଘର ମୁହାଁ ଫେରିବାକୁ ଲାଗିଲେ l ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅଚଳ ହେତୁ ହାତ ଆଉ ଆଣ୍ଠୁ ସାହାଯ୍ୟରେ ଚଳ ପ୍ରଚଳ କରନ୍ତି । ମହିଳା ଜଣଙ୍କ ମୁଖ ମଣ୍ଡଳରୁ କଷ୍ଟର ଯନ୍ତ୍ରଣା ସହଜରେ ବାରି ହୋଇ ପଡୁଥାଏ l କାହିଁକି ନା ସିମେଣ୍ଟ ମିଶା ଛୋଟ ଗୋଡି ଭିତରେ ଗୁରୁଣ୍ଡି ଗୁରୁଣ୍ଡି ଯିବା କେତେ କଷ୍ଟ ତାର ନିଚ୍ଛକ ଦୃଶ୍ୟ ଦେଖିଲାରୁ ଛାତି ଥରି ଉଠୁଛି ।

ଧର୍ମ ପାଇଁ ମହିଳା ଜଣଙ୍କ କୌଣସି କଷ୍ଟ କି ଯନ୍ତ୍ରଣାକୁ ଖାତିର ନକରି ଧର୍ମ ଅର୍ଜନ ପାଇଁ ଧାଇଁ ଆସିଛନ୍ତି ଡ଼ଙ୍ଗା ଭସାଇବାକୁ l ଆଣ୍ଠୁ ଆଉ ଗୋଡ଼ର ଅବସ୍ଥା ଦେଖି ବ୍ୟଥିତ ଲାଗୁଥାଏ l ମହିଳା ଜଣଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ଭୁବନେଶ୍ୱରରେ ରୁହନ୍ତି l ଲିଙ୍ଗରାଜ ବିନ୍ଦୁସାଗରକୁ ପ୍ରଥମ ଥର ପାଇଁ ଆସିଥିଲେ । ଫେରିବା ବେଳେ ହଠାତ ଅନେକ ସମୟ ଅପେକ୍ଷା ପରେ ଅଟୋ ଆସି ପହଞ୍ଚିଥିଲା l ବିନା କାହା ସାହାଯ୍ୟରେ ବହୁତ କଷ୍ଟରେ ଅଟୋ ଉପରକୁ ଉଠିଲେ l ଅଟୋ ଚାଲିଗଲା…. କିନ୍ତୁ ମହିଳା ଜଣଙ୍କ ଶିକ୍ଷା ଦେଲେ କି ଧର୍ମ ଆଗରେ ମଣିଷ କଷ୍ଟ କିଛି ନୁହେଁ l

Also Read:କଟକ ବାଲିଯାତ୍ରା ଆଜିଠୁ ଆରମ୍ଭ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ