ଦିବ୍ୟାଙ୍ଗ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ପହଞ୍ଚିଲେ ହସ୍ପିଟାଲ

ଧୀରେ ଧୀରେ ମଣିଷ ମନରୁ ମରିଯାଉଛି ମାନବିକତା । ଦୁର୍ବଳ ଉପରେ ସବଳ କରୁଛି ରାଜ୍ । ମଣିଷ ଦିନକୁ ଦିନ ପଶୁ ପାଲଟି ଯାଉଛି । ନହେଲେ କେହି କାହାକୁ ଆକ୍ରମଣ କରିବା ସହଜ କଥା ନୁହେଁ । ଆଜିର ସମାଜରେ କିଛି ଅସାମାଜିକ ଲୋକଙ୍କ ପାଇଁ ନୀରିହ ଜନ ସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ଅସାମାଜିକ ଲୋକଙ୍କର ନା ପୋଲିସକୁ ଭୟ ରହୁଛି ନା ଆଇନ୍ କାନୁନ୍ କୁ ଭୟ ରହୁଛି । ଗରିବ ଦିବ୍ୟାଙ୍ଗ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି ଏମାନେ । ଜଣେ ଦିବ୍ୟାଙ୍ଗ ଯୁବତୀ ବି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି । କିଛି ଦୁର୍ବୃତ୍ତ ତାଙ୍କୁ ଅମାନୁଷିକ ଭାବେ ବାଡ଼େଇଛନ୍ତି । ଯାହା ଫଳରେ ଉକ୍ତ ଯୁବତୀ ଏବେ ହସ୍ପିଟାଲରେ ପଡ଼ିଛନ୍ତି । ଆଉ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ।

ଦିବ୍ୟାଙ୍ଗ ଯୁବତୀଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ତାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କେହି । ତେବେ ବାଲେଶ୍ବର ଜିଲ୍ଲା ସଦର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଦର ଥାନା ଅନ୍ତର୍ଗତ କୁରୁଡ଼ା ଠାରେ ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅମାନୁଷିକ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦିବ୍ୟାଙ୍ଗ ଯୁବତୀ ଜଣକ କାଲି ରାତିରେ ଟ୍ୟୁସନ୍ ପଢ଼ାଇବାକୁ ଯାଇ ଥିବାବେଳେ ରାତି ସାଢ଼େ ନଅ ଟା ବେଳେ ଆକ୍ରମଣର ଶିକାର ହୋଇଥିଲେ । ୨ ଜଣ ଯୁବକ ଏହି ଯୁବତୀଙ୍କୁ ଅମାନୁଷିକ ଭାବରେ ଆକ୍ରମଣ କରିଥିଲେ । ତେବେ  ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଭାଙ୍ଗି ଯାଇଥିବାବେଳେ ମେରୁଦଣ୍ଡରେ ଶକ୍ତ ପ୍ରହାର ଲାଗିଥିବା ସେ କହିଛନ୍ତି । ଯୁବତୀଙ୍କୁ ଏମିତି ଆକ୍ରମଣ ହୋଇଥିଲା ଯେ ସେ ଜୀବନ ବିକଳରେ ସ୍ଥାନୀୟ ଏକ ପୋଖରୀକୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ ।

ତେବେ ଗୁରୁତର ଯୁବତୀ ଜଣଙ୍କ ହେଉଛନ୍ତି କୁରୁଡା ଗାଁର ଚମ୍ପାବତୀ ପଣ୍ଡା । ପୂର୍ବରୁ ତାଙ୍କର ପଡୋଶୀଙ୍କ ସହ ଜମିଜମା ବିବାଦ ରହିଥିବା ବେଳେ ସେ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟଳୟରେ ଧାରଣା ଦେଇଥିଲେ । କିନ୍ତୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଗତକାଲି ପୂର୍ବ ଶତୃତାକୁ କେନ୍ଦ୍ରକରି ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିବା ସେ କହିଛନ୍ତି । ତେବେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅର୍ଥୋପେଡିକ୍ ୱାର୍ଡରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଚମ୍ପାବତୀ ବର୍ତ୍ତମାନ ନ୍ୟାୟ ଚାହୁଁଛନ୍ତି । ଦିବ୍ୟାଙ୍ଗ ଗରିବ ହୋଇଥିବା ବେଳେ ଏବେ ତାଙ୍କ ସହ ଏମିତି ଅଘଟଣ ଘଟିଛି । ପରିବାର ଚଳାଇବା ପାଇଁ ସେ ଟ୍ୟୁସନ କରନ୍ତି । ଏବେ ହାତ ଭାଙ୍ଗି ଯାଇଥିବାରୁ ପରିବାର କେମିତି ଚଳିବ ସେଥିପାଇଁ ତାଙ୍କୁ ଚିନ୍ତା ଘାରିଛି । ତେବେ ପୋଲିସ ଏ ଦିଗରେ ତୁରନ୍ତ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ତାହା ହିଁ ସାଧାରଣରେ ଦାବି ।

 

You might also like