ଅଭାବୀ ପରିବାରରେ ମୁଖ୍ୟ ସମସ୍ୟା ସାଜିଛି ଭଙ୍ଗା ଦଦରା ଘର

ଭଙ୍ଗା ଦଦରା ଘରେ ବିତୁଛି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ଜୀବନ । କେତେବେଳେ ଜୋରରେ ବର୍ଷା ହେଲେ ଖଟ ତଳେ ସପ ଘୋଡେ଼ଇ ହୋଇ ଶୋଇବାକୁ ପଡୁଛି ତ ଆଉ କେତେେବେଳେ ସାପ ବେଙ୍ଗଙ୍କ ସହ ଜୀବନ ଜିଇବାକୁ ପଡୁଛି । ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡ । ପୌରପରିଷଦର କେତେ ହୋଇଛି ବିକାଶ ତାହା ଏହି ୱାର୍ଡର ଦିଲ୍ଲୀପ ଯେନାଙ୍କ ଘରକୁ ଦେଖି ଅନୁମାନ କରିହେଉଛି । ଦିଲ୍ଲୀପ ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ଲୋକ । ଦୁଇ ପୁଅ ପତ୍ନୀ ଓ ବୁଢୀମା ଏହିଭଳି ୫ ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର ।

ତେବେ ଅଭାବୀ ପରିବାରରେ ମୁଖ୍ୟ ସମସ୍ୟା ସାଜିଛି ଭଙ୍ଗା ଦଦରା ଘର । ଏନେଇ ବାରମ୍ବାର ଆବେଦନ ପରେ ମଧ୍ୟ ଦିଲ୍ଲୀପଙ୍କୁ ମିଳିଛି ଅନେକ ମିଛ ପ୍ରତିଶ୍ରୁତି । ଏବେ ଏଇ ଘରେ ରହିବା ଅସମ୍ଭବ ହେଉଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ବାର ଦୁଆର ବୁଲିବାକୁ ପଡୁଛି ଏମାନଙ୍କୁ। ପ୍ରଶାସନ ପକ୍ଷରୁ ଘର ଦେବା ତ ଦୂର କଥା ବର୍ଷା ଦାଉରୁ ରକ୍ଷା ପାଇବାକୁ ଆଉ ଗୋଟିଏ ଦରିପାଲ ଆବଶ୍ୟକ ଥିବା ବେଳେ ତିନିମାସ ତହସିଲ କତୃପକ୍ଷଙ୍କ ନିକଟକୁ ଧାଇଁବା ପରେ ସେତିକି ବି ତାଙ୍କୁ ଦବାକୁ ମନା କରିଦେଇଛନ୍ତି ।

ଦିଲ୍ଲୀପଙ୍କ ମନରେ ଗୋଟିଏ ପ୍ରଶ୍ନ ଆବାସ ଯୋଜନା ପ୍ରକୃତପକ୍ଷେ କାହାପାଇଁ । ତେବେ ଏଇ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ଏଇ ପ୍ରତିଶ୍ରୁତି ପାଳନ ହେଉଛି କି ପୂର୍ବପରି ପ୍ରତିଶ୍ରୁତିରେ ରହିଯାଉଛି ତାହା ଦେଖିବା ବାକି ରହିଲା । ଗରିବ ଲୋକଟିଏକୁ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରଙ୍କ ଆବାସ ଯୋଜନା ହେଲେ ଏହି ଯୋଜନା ତୃଣମୃଣ ସ୍ଥଳରେ କେତେ କାର୍ଯ୍ୟକ୍ଷମ ତାହା ଦିଲ୍ଲୀପଙ୍କ ଘଟଣାରୁ ଅନୁମାନ କରାଯାଇପାରିବ । ତୁରନ୍ତ ଏହି ସମସ୍ୟାର ସମାଧାନ କରି ତାଙ୍କୁ ଏକ ଆବାସ ଯୋଗାଇଦେବାକୁ ଦାବୀ ହେଉଛି ।

You might also like