କଟକ ବାସୀଙ୍କ ଆରାଧ୍ଯା କାଳିଆବୁଦାର ମହାଶ୍ମସାନ କାଳୀ, ମନାସି ଡାକିଲେ ଓ କରନ୍ତି ମା’

କଟକ(କେନ୍ଯୁଜ୍) : ନା ଏଠି ଅଛି ସ୍ବର୍ଣ୍ଣ, ନା ଏଠୁ ଝରୁଛି ଅମୃତ। ଦିନେ ଯାହାକୁ ଦେଖିଲେ ଭୟରେ ଛାତି ଥରି ଉଠୁଥିଲା ଆଜି ସେ ଲାଗୁଛନ୍ତି ଆପଣାର। ଥରେ ମାନସିକ କଲେ ପୂର୍ଣ ହୁଏ ଏଠାରେ ମନସ୍କାମନା। ଦିନେ ଏହି ମାଆଙ୍କୁ ନପୁଜିଲେ ରାତି ଶୋଉ ନଥିଲେ ମାନସିକ ଅନଗ୍ରସର । ଏହେଉଛି କଟକର କାଳିଆବୁଦା ମହା ଶ୍ମସାନ କାଳୀ ମନ୍ଦିର । ଏମିତି ଏକ ମନ୍ଦିର ଯେଉଁ ମନ୍ଦିରକୁ ଆସୁଥିଲେ କେବଳ ସେହିଭଳି ଲୋକ ଯିଏ ଜାଣିନଥିଲେ ଜୀବନ ବଞ୍ଚିବାର ମାନେ । ତଥାପି ମାଆ ଶ୍ମସାନ କାଳୀଙ୍କୁ କରିଚାଲିଥିଲେ ପୂଜା। କିଛି ବର୍ଷ ପୂର୍ବେ ଏହି ସ୍ଥାନକୁ ମନ୍ଦିରକୁ ଲାଗିକରି  ଥିବା ଆଶ୍ରମରୁ କେବଳ ପାଗଳ ମାନେ ଆସୁଥିଲେ। ତେଣୁ ସ୍ଥାନୀୟ ଲୋକେ ଏହି ମାନସିକ ଅନଗ୍ରସରଙ୍କୁ ଡରି ଏଠାକୁ ଆସୁନଥିଲେ।

kaliabuda1

କିମ୍ବଦନ୍ତୀ କୁହେ ଜଣେ ସାଧୁ ଏଠାକୁ ଆସି ମାଙ୍କ ନିକଟରେ ଅଧିଆ ପଡିଥିଲେ ଏବଂ କିଛି ଦିନ ପରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ ।  ସେହି ସମୟରେ କିଛି ଲୋକ ଏଠାକୁ ଆସି ମାଆ ଶ୍ମସାନ କାଳୀଙ୍କୁ ପୂଜା କରିବା ସହ ମାଆଙ୍କୁ ନିଜ ଦୁଃଖ ଜଣାଇଥିଲେ। କିଛିଦିନ ଭିତରେ ସମସ୍ତ ଭକ୍ତଙ୍କ ସମସ୍ୟା ଦୁର ହୋଇଯାଇଥିଲା। ଏହି କଥା ଜାଣିବା ପରେ ଧୀରେ ଧୀରେ ମାନ୍ଦିରରେ ଭକ୍ତ ଙ୍କ ସଂଖ୍ୟା ବଢି ଚାଲିଲା। ପ୍ରତ୍ୟକ ମଙ୍ଗଳବାର ଓ ଶନିବାର ମାଙ୍କ ପାଖରେ ଲୋକେ ଅଧିଆ ପଡୁଥିଲେ। ତେବେ ମା କାଳୀଙ୍କ ନିକଟରେ ଭକ୍ତଙ୍କ ସଂଖ୍ୟା ଦେଖି କିଛି ସହୃଦୟ ବ୍ୟକ୍ତି ଏଠାରେ ମନ୍ଦିର ନିର୍ମାଣ କଲେ। ପୂର୍ବରୁ ମା ଗଛ ମୂଳରେ ପୂଜା ପାଉଥିଲେ ହେଲେ ଆଜି ସୁନ୍ଦର ମନ୍ଦିରରେ ବସି ପୂଜା ପାଉଛନ୍ତି ମା ଶ୍ମସାନ କାଳୀ।

kaliabuda2

ମାଆ ଙ୍କୁ ପୂଜା କରୁଥିବା ପୂଜକ କୁହନ୍ତି ମାଙ୍କୁ ପୂଜା କଲାବେଳେ ସତରେ ମାଆ ଉଭା ହୁଅନ୍ତି। ଅନେକ ସମୟରେ ପୂଜକଙ୍କୁ ଦେବା ଦିଅନ୍ତି ମାଆ। କିନ୍ତୁ ପୂଜକ ଜଣଙ୍କ ତାଙ୍କ  ମନରେ ଥିବା  କିଛିବି ଅନୁଭୂତି ଆମକୁ କହିଲେ ନାହିଁ। କିନ୍ତୁ ଆମେ ମାଙ୍କୁ ନେଇ ପ୍ରଶ୍ନ କଲାବେଳେ ଆଖିରେ ଲୁହ ଆସିଯାଉଥିଲା ପୂଜାକଙ୍କର। ଏଠି କିଛି ସମୟ ଅତିବାହିତ କଲେ ଆଶ୍ୱସ୍ତ ଲାଗେବୋଲି କିଛି ଭକ୍ତ  କହିଥିଲେ। ତା ସହିତ ବଖାଣିଲେ ନିଜର ଅନୁଭୂତି। ତେବେ ଯାହା ହେଉନା କାହିଁକି ଜଗତଜନନୀ ମା ଶ୍ମସାନ କାଳୀ ଜଗତର ହିତ ସାଧନ ପାଇଁ ଏଠାରେ ସ୍ଥାପିତ ହୋଇଛନ୍ତି । ମାଆଙ୍କ ପ୍ରତି ଭକ୍ତଙ୍କର ରହିଛି ଅତୁଟ ବିଶ୍ବାସ । ଯାହା ଫଳରେ ମାଆ ଆଜି ଏଠାରେ  ପ୍ରସିଦ୍ଧି ଲାଭ କରିପାରିଛନ୍ତି।