କ୍ୟାନରେ ମୁଣ୍ଡ ପୁରେଇ ଛଟପଟ ହେଉଥିଲା ଢମଣା, ନୂଆ ଜୀବନ ଦେଲେ ନିହାରିକା

ପରିତ୍ୟକ୍ତ କ୍ୟାନ୍ ରେ ଫସି ଯାଇଥିଲା ୫ ଫୁଟ ଲମ୍ବର ଢମଣା ସାପ । ସାପ ନିଜ ମୁଣ୍ଡକୁ କ୍ୟାନ ଭିତରେ ଏମିତି ଭର୍ତ୍ତି କରି ଦେଇଥିଲା ଯେ ସେଥିରୁ ମୁକୁଳି ପାରୁ ନଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିଲା ସାପ । ଭୁବନେଶ୍ବରର ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ଥିବା ମଙ୍ଗଳା ମନ୍ଦିର ନିକଟସ୍ଥ ଖାଲି ଜାଗାରେ ବଣ ବୁଦା ଭିତରେ ସାପଟି ଫସି ରହିଥିଲା । ସ୍ଥାନୀୟ ବାଳକ ମାନେ ସେହି ସାପକୁ ବୁଦା ଭିତରେ ଛଟପଟ ହେଉଥିବା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ ।
ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସତର୍କତାର ସହିତ ବୁଦା ଭିତରୁ ଢମଣା ଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ବାସ ତା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କ୍ୟାନ୍ କୁ ଭିଡ଼ି କରି ସାପକୁ ବାହାର କଲେ ତାର ବେକ ବା ମୁଣ୍ଡ କଟି ଯିବାର ସମ୍ଭାବନା ଥିଲା । ଏଣୁ ସ୍ନେକ୍ ହେଲ୍ପ ଲାଇନର ପୁରୁଖା ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସହାୟତାରେ, ନୀହାରିକା ମେଟାଲ କଟର ସାହାଯ୍ୟରେ କ୍ୟାନ୍ କୁ କାଟିବା ପରେ ସାପଟି ବନ୍ଧନ ମୁକ୍ତ ହୋଇଥିଲା ।
ସାପଟିର ବେକରେ କୌଣସି କ୍ଷତ ନଥିବା ଦେଖି ନୀହାରିକା ଉପସ୍ଥିତ ବାଳକମାନଙ୍କୁ ଢମଣା ସାପର ବିଷ ନାହିଁ ଏବଂ ସାପ ଏହି ସ୍ଥାନରେ ରହି ପାରିବ । କାହାର କିଛି କ୍ଷତି ହେବ ନାହିଁ ବରଂ ଲାଭ ହେବ ବୋଲି ବୁଝାଇଥିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ । ଫଳରେ ବାଳକମାନେ ସେହି ସ୍ଥାନରେ ସାପକୁ ଛାଡ଼ିବା ପାଇଁ ରାଜି ହୋଇଥିଲେ । ଏହାପରେ ବାଳକମାନଙ୍କ ଉପସ୍ଥିତିରେ ଘଟଣା ସ୍ଥଳରୁ ଅନତି ଦୂରରେ ନୀହାରିକା ସାପଟିକୁ ଛାଡ଼ି ଦେଇଥିଲେ ।
ମୃଦୁ ପାନୀୟ ପିଇ ସାରିବା ପରେ କ୍ୟାନ୍ ଗୁଡ଼ିକୁ ଭଲ ଭାବରେ ନଷ୍ଟ ନକରି ଫିଙ୍ଗି ଦେଉଛନ୍ତି ଲୋକେ । ସେଥିରେ ସାପ ଭଳି ଅନ୍ୟ ସରୀସୃପ ମୁଣ୍ଡ ପୁରେଇ ଏମିତି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଏଣୁ କ୍ୟାନ୍ ଗୁଡ଼ିକୁ ବ୍ୟବହାର କରିସାରିବା ପରେ ଭଲ ଭାବରେ ନଷ୍ଟ କରି ଡଷ୍ଟବିନରେ ଫିଙ୍ଗିବା ପାଇଁ ଅନୁରୋଧ କରିଛନ୍ତି ନୀହାରିକା । ଖୋଲା ପରିବେଶରେ କ୍ୟାନ ଫିଙ୍ଗିଲେ ତାହା ଉଭୟ ପରିବେଶ ଏବଂ ସରୀସୃପ ଜଗତ ପାଇଁ ବିପଦ ସୃଷ୍ଟି କରୁଛି ତେଣୁ ଏଥିପ୍ରତି ଆମେ ସଚେତନ ହେବା ନିହାତି ଜରୁରୀ ।