ଜଗନ୍ନାଥଙ୍କ ପ୍ରତିମା ତିଆରିରେ ରେକର୍ଡ କଲେ ରାଉରକେଲା ଝିଅ, ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ

ରାଉରକେଲା: ବିଭିନ୍ନ ପ୍ରକାରର ଡାଲି ଓ ପନିପରିବା ମଞ୍ଜିରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରତିମାକୁ ମାତ୍ର ୧୫ ବର୍ଷ ବୟସର ଜଣେ ଝିଅ ତିଆରି କରିଛି । ଏତେ କମ ବୟସରୁ ଏଭଳି ସୁନ୍ଦର ପ୍ରତିମୂର୍ତ୍ତି ସୃଷ୍ଟି କରିବାର ସବୁ ଶ୍ରେୟ ସେ ପ୍ରଭୁ ଜଗନ୍ନାଥଙ୍କୁ ଦେଇଛନ୍ତି । ଧଣିଆ ମଞ୍ଜିଠାରୁ ଆରମ୍ଭ କରି କଖାରୁ, କଲରା ସମେତ ବିଭିନ୍ନ ୨୧ ପ୍ରକାର ପନିପରିବା ମଞ୍ଜି ଓ ଡାଲିରେ ୦.୩ ସେଣ୍ଟି ମିଟର ଠାରୁ ଆରମ୍ଭ କରି ୦.୮ ସେଣ୍ଟି ମିଟରର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାରେ ସଖ୍ୟମ ହୋଇଛନ୍ତି ।

ଏତେ ଛୋଟ ଛୋଟ ମଞ୍ଜିରେ ଜଗନ୍ନାଥଙ୍କ ପ୍ରତିମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ରାଉରକେଲା ସହରର ଏକ ଘରୋଇ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜଗନ୍ନାଥଙ୍କ ଏଭଳି ଅନନ୍ୟ ପ୍ରତିମା ତିଆରି କରି ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଜଗନ୍ନାଥଙ୍କ ପରମ ଭକ୍ତ ହୋଇଥିବାରୁ ଏହା ସମ୍ଭବପର ହେଲା ବୋଲି କହିଛନ୍ତି ସ୍ମୃତିରେଖା । କେବଳ ସେତିକି ନୁହେଁ, ସ୍ମୃତିରେଖା ମାତ୍ର ୧୬ ଘଣ୍ଟାରେ ୨୧ ପ୍ରକାର ମଞିରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ସବୁବେଳେ କିଛି ଭିନ୍ନ ଓ ନୂଆ କରିବାର ମାନସିକତା ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି । ଗ୍ରୀଷ୍ମ ଛୁଟି ସମୟରେ ଧଣିଆ ମଞ୍ଜିରେ ଅତି ନିଖୁଣ ଭାବେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବାର ଦେଖି ସ୍ମୃତିରେଖାଙ୍କ ମା ତାଙ୍କୁ ଅନ୍ୟ ସବୁ ଡାଲି ତଥା ମଞ୍ଜିରେ କରିବା ପାଇଁ ମଧ୍ୟ ଉତ୍ସାହିତ କରିଥିଲେ । ଏଭଳି କରୁ କରୁ ୨୧ ପ୍ରକାର ଡାଲି ଓ ପନିପରିବା ମଞ୍ଜିରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିଲେ ସ୍ମୃତିରେଖା । ଯାହାକୁ ଦେଖି କେବଳ ପରିବାର ଲୋକ ନୁହେଁ ବରଂ ସମସ୍ତ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରଭୁ ଜଗନ୍ନାଥଙ୍କୁ ହୃଦୟରେ ରଖିଥିବା ଓ ନିଜକୁ ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ବୋଲି କହୁଥିବା ସ୍ମୃତିରେଖା ଆଜି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ସବୁବେଳେ କିଛି ନୂଆ ଜିନିଷ କରିବାର ଚିନ୍ତା ଓ ଅଭ୍ୟାସ ରଖିଥିବା ସ୍ମୃତିରେଖାର ସଫଳତାରେ ବେଶ ଗର୍ବିତ ସ୍ମୃତିରେଖାଙ୍କ ବାପା ମାଆ । ତେଣୁ ପାଠପଢ଼ା ସହ ଅନ୍ୟାନ୍ୟ କଳା ଦିଗରେ ମଧ୍ୟ ଛାତ୍ରଛାତ୍ରୀମାନେ ଆଗ୍ରହୀ ହେବା ଉଚିତ ।