ପ୍ରେମିକଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ଯୁବତୀ, ଗେଷ୍ଟହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ପୁରୀ: ଗେଷ୍ଟହାଉସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ଜଗନ୍ନାଥ ଗେଷ୍ଟ ହାଉସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ବର୍ଷା ପ୍ରିୟଦର୍ଶନୀ ମହାରଣା ବୋଲି ଜଣାପଡ଼ିିଛି। ବର୍ଷା ନିଜ ପ୍ରେମିକ ପିଣ୍ଟୁ ନାୟକଙ୍କ ସହ ପୁରୀ ବୁଲିବାକୁ ଆସି ସମୁଦ୍ରକୂଳ ଥାନା ଅଞ୍ଚଳର ଏହି ଗେଷ୍ଟ ହାଉସରେ ରହିଥିଲେ। ପିଣ୍ଟୁ ବାହାରକୁ ଯାଇଥିବା ବେଳେ ସେ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପିଣ୍ଟୁକୁ ଅଟକ ରଖି ପଚରାଉଚୁରା କରୁଛି। ପୂର୍ବରୁ ବର୍ଷା ନିଖୋଜ ହୋଇଥିବା ନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ମୃତକଙ୍କ ପରିବାର ଲୋକ ଆସିବା ପରେ ଘଟଣାର ରହସ୍ୟ ଉନ୍ମୋଚିତ ହେବ ବୋଲି ପୁରୀ ଏସପି କହିଛନ୍ତି।