ବ୍ରହ୍ମପୁର : ଲୁଟେରା ଆପଣାଉଛନ୍ତି ଲୁଟ୍ର ନୂଆ ତରିକା । ଥଣ୍ଡା ପାନୀୟ ଦେଇ ଯୁବକଙ୍କ ଠାରୁ ଲୁଟି ନେଲେ ସୁନା ଚେନ ମୁଦି । ଲୁଟର ଶୀକାର ହୋଇଛନ୍ତି ଚିକିଟି ବ୍ଲକ ଲୋକନାଥପୁରର ସୁବ୍ରତ ପାଢ଼ୀ । ସୁବ୍ରତ ଗତକାଲି ଏକ ଘରୋଇ ବସରେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଫେରୁଥିଲେ । ଏହି ସମୟରେ ଜଣେ ଯୁବକ ସୁବ୍ରତଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ଏହା ପରେ ଯୁବକ ଜଣଙ୍କ ବସରେ ହିଁ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସୁବ୍ରତଙ୍କ ଠାରୁ ସୁନା ଚେନ ଓ ମୁଦି ନେଇଯାଇଥିଲେ ସମ୍ପୃକ୍ତ ଯୁବକ ।
ବ୍ରହ୍ମପୁର ବିଏନପୁର ଥାନା ନିକଟରେ ସମସ୍ତେ ଓହ୍ଲାଇବା ପରେ ବିଜିପୁର ଛକରୁ ଅଚେତ ଅବସ୍ଥାରେ ସୁବ୍ରତଙ୍କୁ ପାଇଥିଲେ ତାଙ୍କ ପରିବାର ଲୋକେ । ପରେ ଗୁରୁତର ଅବସ୍ଥାରେ ସୁବ୍ରତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେଇ ସୁବ୍ରତଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି ।