ନନ୍ଦନକାନନକୁ ବୁଲିବାକୁ ଆସିଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍, କାନ୍ଦି କାନ୍ଦି ବେହାଲ ମହିଳା

ଖୁସି ମନରେ ନିଜ ପରିବାର ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ । ହେଲେ ବୁଲିବା ସମୟରେ ଘଟିଲା ଅଘଟଣ । ଦେଖୁନାହାନ୍ତି ମହିଳା ଜଣକ କେମିତି କାନ୍ଦି କାନ୍ଦି ମ୍ରିୟମାଣ ହୋଇପଡୁଛନ୍ତି । ହେବେନି ବା କେମିତି ଛୁଟିଦିନରେ ପରିବାର ସହ ବୁଲିବାକୁ ଆସିଥିଲେ କିନ୍ତୁ ହୋଇଗଲେ ଲୁଟର ଶିକାର । ହଁ ଆଜ୍ଞା, ଏଭଳି ଘଟଣା ଆଉ କେଉଁଠି ନୁହେଁ ନନ୍ଦନକାନନରେ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଏବେ ପର୍ଯ୍ୟଟକମାନେ ନିଜ ସୁରକ୍ଷାକୁ ଭୟଭୀତ ଅଛନ୍ତି ।
ଆପଣ ବି ବେକରେ ସୁନା ଚେନ୍ ପକାଇ ବାହାରକୁ ଯାଉଛନ୍ତି କି? ଯଦି ଏଭଳି କିଛି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଆଜିକାଲି ପ୍ରତ୍ୟକ ସ୍ଥାନରେ ବୁଲୁଛନ୍ତି ଲୁଟେରା । ଆଉ ଗହଳି ସ୍ଥାନରେ ଏମାନଙ୍କ ଆତଙ୍କରାଜ ଅଧିକ ହୋଇଥାଏ । ଟିକିଏ ସୁଯୋଗ ପାଇଲେ ଏ ଲୁଟେରାମାନେ ଆପଣଙ୍କ ସୁନା ଚେନ୍ ଲୁଟି ନେଇ ଫେରାର ମାରିବେ । ତେବେ ଦର୍ଶକବନ୍ଧୁ ଆମେ ଏସବୁ କହିବାର କାରଣ ହେଉଛି ଗହଳିର ସୁଯୋଗ ନେଇ ସୁନା ଚେନ୍ ଲୁଟି ଫେରାର ମାରିଛି ଲୁଟେରା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବୁଲିବାକୁ ଆସିଥିବା ମହିଳାଙ୍କ ବେକରୁ ସୁନାଚେନ୍ ଲୁଟିନେଲା ଦୁର୍ବୃତ୍ତ । ଯାଜପୁରର ଗୀତାରାଣୀ ରଣା ନାମକ ଜଣେ ମହିଳା ତାଙ୍କ ଝିଅ ସହ ଗତକାଲି ଅର୍ଥାତ ରବିବାର ଦିନ ନନ୍ଦନକାନନ ବୁଲିବାକୁ ଆସିଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ଚିତାବାଘ ଖୁଆଡ଼ ନିକଟରେ ଗହଳିର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲା । ସୁନାଚେନର ଓଜନ ପ୍ରାୟ ୧୪ ଗ୍ରାମ ଥିଲା ।
ବାଘ ଖୁଆଡ଼ରୁ ବାହାରିବାର କିଛି ସମୟ ପରେ ତାଙ୍କ ବେକରେ ସୁନାଚେନ୍ ନଥିବା ଜାଣିବାକୁ ପାଇଥିଲେ ମହିଳା ଜଣକ । ସାଙ୍ଗେ ସାଙ୍ଗେ ମହିଳା ଜଣକ ନନ୍ଦନକାନନର ନିରାପତ୍ତା ବିଭାଗ ରେଞ୍ଜରଙ୍କ କାର୍ଯ୍ୟାଳୟରେ ଏହି କଥା ଜଣାଇଥିଲେ । ହେଲେ ଘଟଣା ଘଟିଥିବା ସ୍ଥାନରେ କୌଣସି ସିସିଟିଭି ନ ଥିବାରୁ ମହିଳା ଜଣକ ନିରାଶ ହୋଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମହିଳାଙ୍କ ଅଭିଯୋଗକୁ ଆଧାର କରି ଏବେ ଘଟଣାର ତଦନ୍ତ ଚଳାଇଛି ।
ଯଦି ଆପଣ ସୁନା ଚେନ୍ ପିନ୍ଧୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଆଜିକାଲି ଲୁଟେରାମାନେ ସବୁ ସ୍ଥାନରେ ଲୁଟ କରିବା ଉଦ୍ଦେଶ୍ୟରେ ବୁଲୁଛନ୍ତି । କେତେବେଳେ ଯେ ଆପଣଙ୍କୁ ଟାର୍ଗେଟ କରି ଆପଣଙ୍କ ଠାରୁ ଆପଣଙ୍କ ଦାମୀ ସୁନା ଗହଣା ଲୁଟିନେବେ ତାହା କହି ହେବନି । ଯଦିଓ ଆପଣ ସୁନା ଜିନିଷ ପିନ୍ଧୁଛନ୍ତି ଏହାକୁ ଓଢ଼ଣୀ ସାହାଯ୍ୟରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା ସୁନା ଜିନିଷ ଚୋରଙ୍କ ନଜରରେ ଏତେ ସହଜରେ ପଡ଼ିବନି ଏବଂ ଆପଣଙ୍କ ଜିନିଷ ସୁରକ୍ଷିତ ରହିବ । ବିଶେଷ କରି ଗହଳି ସ୍ଥାନରେ ଅଧିକ ସାବଧାନ ଏବଂ ସତର୍କ ରୁହନ୍ତୁ ।