୧୯ ଲକ୍ଷ ଟଙ୍କା ନେଇ ନକଲି କାଗଜ ବିଡା ଧରାଇଥିଲେ ଠକ ଦଳ, କିନ୍ତୁ ଧରିନେଲା ପୋଲିସ

କାମ ଦେଲାନି ଠକଙ୍କ ଚାଲାକି । ଅସଲ ଟଙ୍କା ବଦଳରେ କାବଜ ବିଡ଼ା ଧରାଇ ହେରଫେର କରିବା ପାଇଁ ପ୍ଲାନ କରିଥିଲେ ଠକ ଦଳ । ଏତେ ଟଙ୍କାକୁ ହଡ଼ପ କରିବା ପାଇଁ ଏକ ଠକ ଗ୍ୟାଙ୍ଗ ରଚିଥିଲା ବଢ଼ିଆ ପ୍ଲାନ୍ । କିନ୍ତୁ ସବୁ ପ୍ଲାନ୍ ଫେଲ୍ ମାରିଲା । କାହିଁକି ନା ପୋଲିସର ଚାଲାକି ଆଗରେ ଚୋରଙ୍କ ପ୍ଲାନ୍ କଣ ବା କାମ ଦେବ । ତେବେ ଝୁମର ବିକ୍ରି ନାମରେ ଜଣେ ବ୍ୟବସାୟୀ ହୋଇଛନ୍ତି ଠକେଇର ଶିକାର । ଠକ ଦଳ ଜଣେ ବ୍ୟବସାୟୀଙ୍କ ଠାରୁ ୧୯ ଲକ୍ଷ ଟଙ୍କା ନେଇ ନକଲି କାଗଜ ବିଡା ଧରାଇଥିଲେ । ଭାବିଥିଲେ ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଇବେ । କିନ୍ତୁ ଠକେଇର ଶିକାର ହୋଇଥିବା ବ୍ୟବସାୟୀ ଥାନାରେ ଅଭିଯୋଗ କରିବା ପରେ ୩ ଚୋର ଧରା ପଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଠକ ଗ୍ୟାଙ୍ଗର ତିନି ଜଣଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଛି । ଏହା ସହ ଠକି ନେଇଥିବା ସମସ୍ତ ଟଙ୍କା ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ ପ୍ରମୋଦ କୁମାର ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିଲେ ଠକ । ଏକ ଝୁମରର ଲୋଭ ଦେଖାଇ ବ୍ୟବସାୟୀଙ୍କୁ ଠକିବା ପାଇଁ ପ୍ଲାନ୍ କଲେ । ତେବେ ବ୍ୟବସାୟୀଙ୍କ ଠାରୁ ଅସଲି ୧୯ ଲକ୍ଷ ଟଙ୍କା ନେଇ ତା ବଦଳରେ କାଗଜ ବିଡ଼ା ଧରେଇ ଛୁ ମାରିଥିଲେ ତିନି ଠକ । ହେଲେ ଠକି ନେଇ ଗୋଟିଏ ଦିନ ପରେ ପୋଲିସ କବଜାରେ ଏହି ଠକମାନେ ପଡିଛନ୍ତି । ଠକି ନେଇଥିବା ୧୯ ଲକ୍ଷ ଟଙ୍କା ସହ ଦୁଇଟି ବ୍ୟାଗ୍ , ଗୋଟିଏ ଟିଣ ପେଡ଼ି ଓ ଛଅଟି ମୋବାଇଲ ଜବତ କରିଛି ପୋଲିସ । ଗିରଫ ଠକମାନେ ହେଲେ ବ୍ରହ୍ମପୁର ଗୋଇଲୁଣ୍ଡି ଶାସ୍ତ୍ରୀନଗର ଅଞ୍ଚଳର ଶିବ ଶଙ୍କର ପଟ୍ଟନାୟକ, କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସିଧୋ ଗାଁର ଅଜୟ କୁମାର ମହାନ୍ତି ଓ କଟକ ଜିଲ୍ଲା କନମଦରପୁର ଥାନା ଦଂଶୁଆସିପଡା ଗାଁର ବାଳକୃଷ୍ଣ ପ୍ରଧାନ । ଗିରଫ ତିନି ଜଣ ଠକ ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ୱିତୀୟ ଲାଇନର ପ୍ରମୋଦ କୁମାର ସାହୁ ନାମକ ବ୍ୟବସାୟୀଙ୍କ ସହ ସମ୍ପର୍କରେ ଆସିଥିଲେ ।
ତେବେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଶିବ ଶଙ୍କର ପୁରୁଣା ଝୁମର ୫୦ ଲକ୍ଷରୁ କୋଟିଏ ଟଙ୍କାରେ କିଣୁଥିବା ବ୍ୟବସାୟୀ ପ୍ରମୋଦଙ୍କୁ କହିଥିଲା । ସେପଟେ ଅନ୍ୟ ଜଣେ ଠକ ପ୍ରମୋଦଙ୍କୁ କହିଥିଲା ସେ ଏକ ପୁରଣା ଝୁମର ୧୯ ଲକ୍ଷ ଟଙ୍କାରେ ବିକ୍ରି କରିବ । ପ୍ରମୋଦ ଲାଭ କରିବେ ଭାବିଲେ । ୧୯ ଲକ୍ଷରେ ଝୁମର କିଣି ୫୦ ଲକ୍ଷ ଟଙ୍କାରେ ବିକ୍ରି କରିବେ । ତେଣୁ ଠକମାନଙ୍କ ସହ ଯୋଗାଯୋଗ କରିଥିଲେ ।
ହେଲେ ଝୁମର ବିକ୍ରି କରିବା ଲୋକ ଓ ଝୁମର କିଣିବା ଲୋକ ଗୋଟିଏ ଗ୍ୟାଙ୍ଗର ବୋଲି ପ୍ରମୋଦ ଜାଣି ପାରିନଥିଲେ । ତେବେ ପ୍ରମୋଦ ଝୁମର କିଣିବା ଲାଗି ଟଙ୍କା ବ୍ୟାଗ ଧରି ଠକମାନଙ୍କ ପାଖକୁ ଯାଇଥିଲେ । କିନ୍ତୁ ଠକମାନେ ଚତୁରତାର ସହ ପ୍ରମୋଦଙ୍କ ଠାରୁ ଅସଲି ୧୯ ଲକ୍ଷ ଟଙ୍କା ନେଇ ତାଙ୍କୁ କାଗଜ ବିଡ଼ା ଧରାଇ ଚମ୍ପଟ ମାରିଥିଲେ । ଠକମାନେ ଝୁମର ଆଣୁଛୁ କହି ବ୍ୟବସାୟୀଙ୍କ ଠାରୁ ଛୁ ମାରିଥିଲେ । ତେବେ ଦୀର୍ଘ ସମୟ ଧରି ଠକମାନେ ଝୁମର ଧରି ନ ଆସିବାରୁ ପ୍ରମୋଦ ଟଙ୍କା ବ୍ୟାଗକୁ ଚେକ୍ କରିଥିଲେ । ଆଉ ବ୍ୟାଗ ଖୋଲିବା ପରେ ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । କାହିଁକି ନା ବ୍ୟାଗ ଭିତରେ ଥିଲା କାଗଜ ବିଡ଼ା । ସଙ୍ଗେ ସଙ୍ଗେ ଏନେଇ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ପ୍ରମୋଦ ।
ଅଭିଯୋଗ ମିଳିବା ପରେ ତପ୍ତରତା ଦେଖାଇଥିଲା ପୋଲିସ । ସଙ୍ଗେ ସଙ୍ଗେ ଚୋରଙ୍କୁ ଧରିବା ପାଇଁ ଆରମ୍ଭ ହେଲା ତଦନ୍ତ । ପୋଲିସର ପଦକ୍ଷେପ ସଫଳ ହେଲା ଆଉ ଧରା ପଡ଼ିଲେ ଠକ ଦଳ । ତେବେ ଠକେଇର ଶିକାର ହୋଇଥିବା ବ୍ୟବସାୟୀ ପ୍ରମୋଦ ଏତେ ଟଙ୍କା କିଭଳି ଆଣିଲେ ସେନେଇ ପୋଲିସ ତଦନ୍ତ କରୁଥିବାବେଳେ ଆୟ ବିଭାଗକୁ ମଧ୍ୟ ତଦନ୍ତ କରିବା ଲାଗି କୁହାଯାଇଛି ଓ ଆବଶ୍ୟକସ୍ଥଳେ ଉଦ୍ଧାର ହୋଇଥିବା ୧୯ ଲକ୍ଷ ଟଙ୍କା ଆୟକର ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି । ଗିରଫ ସମସ୍ତ ଠକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଠକ ଫେରାର ଥିବା ଜଣା ପଡ଼ିଛି । ଉକ୍ତ ଠକକୁ ପୋଲିସ ଗିରଫ କରିବା ଲାଗି ଉଦ୍ୟମ ଜାରି ରଖିଛି । ପୂର୍ବରୁ ଏହି ଠକମାନେ ଏଭଳି ଠକେଇ କରିଥିବା ମଧ୍ୟ ପୋଲିସ ସୂଚନା ପାଇ ତଦନ୍ତ କରୁଛି ।