ହୁମ୍ମା ମହାନଦୀ ଟାପୁରେ ଫସିଗଲେ ମାଙ୍କଡ଼ ଦଳ, ଅଭିନବ ଉପାୟରେ ସେତୁ ବାନ୍ଧି ଉଦ୍ଧାର କଲେ ଗାଁ ଲୋକେ

ସମ୍ବଲପୁର (କେ ନ୍ୟୁଜ୍‌) : ନଦୀ ଭିତର ଟାପୁରେ ଫସି ଯାଇଥିଲେ ମାଙ୍କଡ଼ ଦଳ । ତାଙ୍କୁ ଅଭିନବ ଉପାୟରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସମ୍ବଲପୁର ଜିଲ୍ଲା ହୁମ୍ମା ସ୍ଥିତ ପ୍ରସିଦ୍ଧ ବକ୍ର ମନ୍ଦିର ଅପର ପାର୍ଶ୍ୱରେ ରହିଛି କାଳୀ ମାତାଙ୍କ ମନ୍ଦିର । ବକ୍ର ମନ୍ଦିର କୂଳରୁ ଲୋକମାନେ ଡଙ୍ଗା ସାହାଯ୍ୟରେ ସେହି କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି । ତେବେ ମାଙ୍କଡ଼ମାନେ ପଥର ଚଟାଣ ଦେଇ ସେଠାକୁ ଯାଇ ପୁଣି ଫେରି ଆସନ୍ତି । ସେହି ଟାପୁରେ ବଡ଼ ବଡ଼ ଗଛ ରହିଥିବା ବେଳେ ମନ୍ଦିରରେ ଭକ୍ତମାନେ ବାଡ଼ାଉଥିବା ନଡ଼ିଆ ହେଉଛି ଏହି ମାଙ୍କଡ଼ମାନଙ୍କର ଖାଦ୍ୟ । ହେଲେ ଗତକାଲି ପ୍ରାୟ ୩୦ଟି ମାଙ୍କଡ଼ ସେଠାକୁ ଯାଇଥିବା ବେଳେ ଆଉ ଫେରି ପାରିନଥିଲେ ।

IMAGE-2

କାରଣ ସକାଳ ୧୦ଟା ପରେ ମହାନଦୀରେ ଜଳସ୍ତର ବଢ଼ି ଯାଇଥିଲା । ଯେଉଁ ଚଟାଣ ଦେଇ ସେମାନେ ଯାଆସ କରନ୍ତି ତା ଉପରେ ପାଣି ଚାଲିଲା । ସେଥିଲାଗି ସେମାନେ ଆଉ ଫେରିବା ସମ୍ଭବ ହୋଇନଥିଲା । ଗତକାଲି ପୂରା ଦିନ ସେଠାରେ ମାଙ୍କଡ଼ ପଲ ରହିଯାଇଥିଲେ ।
ଏଭଳି ପରିସ୍ଥିତିରେ ସ୍ଥାନୀୟ ଗ୍ରାମବାସୀମାନେ ଏକ ବୁଦ୍ଧିମାନ୍‌ କାମ କରିଥିଲେ । ସେମାନେ ନଦୀରେ ଲୋକଙ୍କୁ ପାର କରାଉଥିବା ଦୁଇଟି ଡଙ୍ଗାକୁ ପାଣି ଉପରେ ରଖି ପଥର ଚଟାଣ ସହିତ ଯୋଡ଼ି ଦେଲେ ।

IMAGE-3

ଆଉ ତାରି ଉପରେ ମାଙ୍କଡ଼ମାନେ ଫେରି ଆସିଥିଲେ । ଠିକ୍‌ ଯେମିତି ରାମାୟଣରେ ଲଙ୍କାକୁ ଯିବା ଲାଗି ଭଗବାନ ଶ୍ରୀରାମଙ୍କ ପାଇଁ ସମୁଦ୍ର ଉପରେ ସେତୁ ନିର୍ମାଣ ହୋଇଥିଲା । ମାଙ୍କଡ଼ମାନେ ମଧ୍ୟ ଏହି ଡଙ୍ଗାରୂପୀ ସେତୁ ଉପରେ ନଦୀ ପାର ହୋଇଥିଲେ ।
ହୁମ୍ମା ଗାଁ ଲୋକଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ସମ୍ବଲପୁର ହୁମ୍ମାରୁ ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା