ଦୁଇ ଛୁଆଙ୍କ ପାଇଁ ଅସହାୟ ମା’ର କରୁଣ ନିବେଦନ, ସରକାରଙ୍କୁ ମାଗୁଛନ୍ତି ସହାୟତା
ମୁଁ ଆଉ ପାରୁନି, ମୋର ଦୁଇ ଛୋଟ ଛୋଟ ପିଲାଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ପାଇଁ ମୁଁ ଆଉ ସକ୍ଷମ ନୁହେଁ । ସରକାର ସାହାଯ୍ୟ ନ କଲେ ମୋ ପିଲାଙ୍କୁ ପ୍ରତିପୋଷଣ କରିବା ପାଇଁ ମୋ ପାଖରେ ଆଉ ସମ୍ଭବ ହୋଇପାରୁନି, ଏହା ହେଉଛି ଜଣେ ଅସହାୟ ମା’ଙ୍କର ସରକାରଙ୍କୁ କରୁଣ ନିବେଦନ । ଏ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ଗ୍ରାମପଞ୍ଚାୟତ ବିଜାମାଗୁର ଗାଁର ଦୀପାଞ୍ଜଳି ମାଝୀ । ସ୍ୱାମୀ ଉପେନ୍ଦ୍ର ମାଝୀ ଯକୃତ ରୋଗରେ ଆକ୍ରାନ୍ତ ହୋଇ ଦୁଇ ବର୍ଷ ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ।
ପୈତୃକ ସମ୍ପତି ଯାହାଥିଲା ସବୁ ସ୍ୱାମୀଙ୍କ ଦେହରେ ଖର୍ଚ୍ଚ ହୋଇଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ୧୦ ବର୍ଷର ପୁଅ ଓ ୮ ବର୍ଷର ଝିଅ ସହିତ ରହୁଛନ୍ତି ଦୀପାଞ୍ଜଳି । ପୈତୃକ ସମ୍ପତି ବିକ୍ରି ହୋଇସାରିଥିବା ବେଳେ ଦୁଇପିଲାଙ୍କ ମୁହଁରେ ଦୁଇଓଳି ମୁଠାଏ ଦାନା ଦେବା ପାଇଁ ଦିନ ମଜୁରୀ କରୁଛନ୍ତି ମା’ ଦୀପାଞ୍ଜଳି । ଦୀପାଞ୍ଜଳି ମାଝୀ ସରକାରୀ ସହାୟତା ଭାବରେ ସରକାରଙ୍କ ଠାରୁ ବିଧବା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କିଲୋ ଚାଉଳ ପାଉଛନ୍ତି ।
ଏପଟେ ନିଜର ରହିବା ପାଇଁ ଘର ଖଣ୍ଡେ ନଥିବା ବେଳେ ସମ୍ପର୍କୀୟ ବାହାରେ ରହୁଥିବାରୁ ତାଙ୍କ ଘର ମାଗି ରହୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର ଆଖିରେ କୌଣସି ଅସୁବିଧା ହେବା ଦ୍ୱାରା ଅପରେସନ କରାଯାଇଥିବା ଫଳରେ ସବୁବେଳେ ଝିଅକୁ ଛାଡି ମଜୁରୀ କରିବାକୁ ଯାଇ ପାରୁନାହାନ୍ତି । ଯାହା ଫଳରେ ଛୁଆଙ୍କୁ ମାଗି ଯାଚି ଖୁଆଇ ନିଜେ ଉପବାସ ରହିବାକୁ ପଡିଥାଏ । ଛୁଆମାନଙ୍କ ପାଇଁ ସୁବିଧା, ଘରଡିହ ଓ ଘର ସହିତ ଅନ୍ତୋର୍ଦୟ ଯୋଜନାରେ ସାମିଲ କରିବା ପାଇଁ କରିଛନ୍ତି ଆକୁଳ ନିବେଦନ ।
ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର ଅସହାୟ ପରିବାର ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ବିଡ଼ିଓଙ୍କୁ ପଠାଇ ଉପଯୁକ୍ତ ତଦନ୍ତ ପରେ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଦେଇଛନ୍ତି ପ୍ରତିଶୃତି । ଅସହାୟକୁ ଦଇବ ସାହା ପରି ଯଦି ସରକାର ଏହି ନିଃସହାୟ ପରିବାରକୁ ସାହାଯ୍ୟ ହୁଅନ୍ତେ ତେବେ ଏମାନଙ୍କର ଦୁଃଖ ଯାଆନ୍ତା ।